drainage problem will be solved soon in Bhadrak ଭଦ୍ରକ: ଜିଲ୍ଲାରେ ଡ୍ରେନେଜ ସମସ୍ୟା ଦୂର କରିବା ସହିତ ଚାଷ ଜମିଗୁଡ଼ିକୁ ଜଳବନ୍ଦୀ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଉପକୂଳବର୍ତ୍ତୀ ଭଦ୍ରକ ଜିଲ୍ଲାରେ ମୋଟ 643 କିଲୋମିଟର ଡ୍ରେନେଜ ଖନନ କାର୍ଯ୍ୟ ହେବାକୁ ଥିବାବେଳେ 10,367 ହେକ୍ଟର ଚାଷ ଜମି ଜଳ ବନ୍ଦୀ ମୁକ୍ତ ହୋଇପାରିବ ବୋଲି ସୂଚନା ମିଳିଛି । ଏହାକୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଵାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ମିଳିଥିବା ସୂଚାନ ଅନୁଯାୟୀ, ରାଜ୍ୟରେ ଉପକୂଳବର୍ତ୍ତୀ 9 ଗୋଟି ଜିଲ୍ଲାର 17ଟି ଅବବାହିକା ଏବଂ 3ଟି ଅଣଅବବାହିକା ଅଞ୍ଚଳରେ ଥିବା ଚାଷ ଜମିଗୁଡ଼ିକୁ ଜଳବନ୍ଦୀ ମୁକ୍ତ କରିବା ସହ ଜଳ ନିଷ୍କାସନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ 2019-20 ଆର୍ଥିକ ବର୍ଷରୁ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ 202223 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାର ଥିଲା । ସରକାର ଏଥିପାଇଁ 500 କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଏବେ ତାହାକୁ 800 କୋଟି ଟଙ୍କାକୁ ବୃଦ୍ଧି କରାଯାଇ 2023-24 ବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ କୁହାଯାଇଛି ।
ଏହାଦ୍ବାରା 4,282 କିଲୋ ମିଟର ଦୈର୍ଘ୍ୟର ଡ୍ରେନେଜ ଖନନ, ଉନ୍ନତି ତଥା ନବୀକରଣ କରାଯାଇ 83,796 ହେକ୍ଟର ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରାଯିବ ବୋଲି ଜଣାଯାଇଛି । ତେବେ ଆସନ୍ତା 2023-24 ରୁ 2027-28 ପର୍ଯ୍ୟନ୍ତ ଆଉ 5 ବର୍ଷ ପାଇଁ ଡ୍ରେନେଜ ଉନ୍ନତି କାର୍ଯକ୍ରମରେ ଅତିରିକ୍ତ 1400 କୋଟି ଟଙ୍କା ବ୍ୟୟ ବରାଦକୁ ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଅନୁମୋଦନ କରିଛନ୍ତି ।
ଏହି 9 ଗୋଟି ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ମଧ୍ୟ ସାମିଲ ଅଛି । ତେଣୁ ଭଦ୍ରକ ଜିଲ୍ଲାରେ ଏହି ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମରେ ମୋଟ 643 କିଲୋମିଟର ଡ୍ରେନେଜ ଖନନ କାର୍ଯ୍ୟ ସହିତ 10,367 ହେକ୍ଟର ଚାଷ ଜମି ଜଳବନ୍ଦୀ ମୁକ୍ତ ହେବ । ଏନେଇ ଭଦ୍ରକ ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯିବା ସହ ଦଳର ବହୁ ନେତା ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ଵତନ୍ତ୍ର ସଭାରେ କୃତଜ୍ଞତା ଜଣାଇଛନ୍ତି । ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ଵାଇଁ ସଭାପତିତ୍ୱ କରିଥିଲେ । ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ବକ୍ତବ୍ୟରେ ବନ୍ୟା, ବାତ୍ୟା ତଥା ପ୍ରକୃତିକ ବିପର୍ଯ୍ୟୟ ପ୍ରବଣ ଭଦ୍ରକ ଜିଲ୍ଲାରେ ଡ୍ରେନେଜ ସମସ୍ୟା ଦୂର ସହିତ ଚାଷ ଜମି ଗୁଡ଼ିକୁ ଜଳ ବନ୍ଦୀ ମୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ଏଥିପାଇଁ ଭଦ୍ରକ ନିର୍ବାଚନମଣ୍ଡଳୀ ଏବଂ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କୃତଜ୍ଞତା ଜଣାଇଥିଲେ । ଏହି ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ମେଗା ପ୍ରକଳ୍ପ ଯୋଗୁଁ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ଉପକୃତ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା ପ୍ରମୁଖ ନେତା ତଥା ଅନେକ କର୍ମୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭଦ୍ରକ