ଓଡିଶା

odisha

By

Published : Nov 2, 2021, 8:04 AM IST

ETV Bharat / state

ଦୀପାବଳୀରେ ଦୁଲୁକିବ ଭଦ୍ରକାଳୀଙ୍କ ପୀଠ, ସାତଦିନ ସପ୍ତମାତୃକା ବେଶରେ ଦେବେ ଦର୍ଶନ

ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ମା' ଭଦ୍ରକାଳି । ଯାହାକି ଅନ୍ୟ ଦେବୀପୀଠ ଠାରୁ ଭିନ୍ନ । ଅଧିକ ପଢନ୍ତୁ...

ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକାଳୀ ପୀଠ
ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକାଳୀ ପୀଠ

ଭଦ୍ରକ:ଆସୁଛି ଦୀପାବଳୀ । ଏନେଇ ପ୍ରସ୍ତୁତ ହେଉଛି ଭଦ୍ରକ ସହରର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠ । ଏଠାରେ ସଦାସର୍ବଦା ପରମ ବୈଷ୍ଣବୀ ମା' ଭଦ୍ରକାଳୀ ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତ ମା'। ଯାହାକି ଅନ୍ୟ ଦେବୀପୀଠ ଠାରୁ ଭିନ୍ନ ।

ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକାଳୀ ପୀଠ

ଭଦ୍ରକ ସହର ଠାରୁ ମାତ୍ର ୯ କିଲୋମିଟର ଦୂର ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀଙ୍କ ପୀଠ । ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ କୋରୋନା କାଳରେ ପୁରା ଖାଁ ଖାଁ ରହିଥିଲା । ଆଉ ଏବେ କାଳୀପୂଜା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି। ପରମ ବୈଷ୍ଣବୀ ମା' ଭଦ୍ରକାଳୀଙ୍କ ଦୀପାବଳୀ ଠାରୁ ୭ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସପ୍ତମାତୃକା ବେଶର ବେଶ ମହତ୍ତ୍ଵ ଥିବା ବିଶ୍ବାସ ରହିଛି। ସପ୍ତମାତୃକା ବେଶର ପ୍ରଥମ ଦିନ ମା' ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହାପରେ ସାତଦିନ ଧରି ସପ୍ତମାତୃକା ବେଶରେ ମା' ମହାକାଳୀ, ରାଜରାଜେଶ୍ବରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେବେ ପ୍ରଶାସନିକ କଟକଣା ମଧ୍ୟରେ ବିନା ଭକ୍ତରେ ଚଳିତ ବର୍ଷ ବିଧି ରକ୍ଷା ପାଇଁ ଅନୁଷ୍ଠିତ ହେବ କାଳୀପୂଜା । ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

୭ ଦିନ ଧରି ଏହି ପୀଠରେ ସପ୍ତମାତୃକା ବେଶ ସହ ମଙ୍ଗଳ ଆଳତି, ସଂକୀର୍ତ୍ତନ, ଶତଚଣ୍ଡୀ ପାଠ, ଦୀପଯଜ୍ଞ ସହ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ । ଏଥିସହ ବେଦବିତ ବ୍ରାହ୍ମଣଙ୍କ ଦ୍ଵାରା ଏଠାରେ ସାତ ଦିନ ଧରି ଅନୁଷ୍ଠିତ ହୋଇଥାଏ ବିଶ୍ଵ ଶାନ୍ତି ମହାଯଜ୍ଞ । ମା'ଙ୍କ ସାନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁ ବର୍ଷବ୍ୟାପୀ ପ୍ରତୀକ୍ଷା କରିଥାନ୍ତି । ହେଲେ ମାହାମାରୀ କୋରୋନା ଯୋଗୁଁ ସବୁକିଛି ଫିକା ପଡିଯାଇଛି । କୋରୋନା ପ୍ରକୋପ ଯୋଗୁଁ ଜାରି କରାଯାଇଥିବା କଟକଣାକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ । ଏଥିସହ ଏହି ପୀଠର ବିଶେଷ ବର୍ଣ୍ଣନା ବହୁ ପୁରାତନ ବୋଲି କହିଛନ୍ତି ଗବେଷକ।

ଏହି ପୁରାତନ ଶକ୍ତିପୀଠ ମା' ଭଦ୍ରକାଳୀ ପୀଠରେ, ସଦା ସର୍ବଦା ପରମ ବୈଷ୍ଣବୀ ମା' ଭଦ୍ରକାଳୀ ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ କାଳୀପୂଜା ଠାରୁ ସାତ ଦିନ ପର୍ଯ୍ୟନ୍ତ ମାଙ୍କର ସପ୍ତମାତୃକା ବେଶ ପରମ୍ପରାର ସ୍ବତନ୍ତ୍ରତା ବେଶ ନିଆରା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details