ଭଦ୍ରକ: ସୋସିଆଲ ମିଡିଆରେ ଚାଟିଂ ରୁ ପ୍ରେମ, ପରେ ବିବାହ। ହେଲେ ବିବାହର ଦୁଇ ମାସ ନପୁରୁଣୁ ଆତ୍ମହତ୍ୟା କଲେ ପତ୍ନୀ । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପାହାଡପୁର ଅଞ୍ଚଳରେ ।
ବିବାହର ଦୁଇମାସରେ ନବବଧୂର ଆତ୍ମହତ୍ୟା - ନବବଧୂ
ବିବାହକୁ ମାତ୍ର ଦୁଇମାସ ନପୁରୁଣୁ ଏକ ଘର ମଧ୍ୟରେ କବାଟ ଦେଇ ନବବଧୂ ଜଣକ କିରୋସିନ ଢାଳି ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ରାଉଲକେଲା ଅଞ୍ଚଳର ଜନୈକ ଯୁବତୀ ଭଦ୍ରକ ଜିଲ୍ଲା ପାହାଡପୁର ଖୁଣ୍ଟିଆ ସାହିର ଜନୈକ ଯୁବକଙ୍କ ସହ ସୋସିଆଲ ମିଡିଆରେ ପରିଚୟ ହୋଇଥିଲା । ଧୀରେ ଧୀରେ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇ ଶେଷରେ ବିବାହ ହୋଇଥିଲା । ବିବାହକୁ ମାତ୍ର ଦୁଇମାସ ନପୁରୁଣୁ ଏକ ଘର ମଧ୍ୟରେ କବାଟ ଦେଇ ନବ ବଧୂ ଜଣକ କିରୋସିନ ଢାଳି ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ଜାଣିବା ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହିପରି ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ