ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ଓଡିଶାମୁହାଁ ପୂଳା ପୂଳା ହେବିୱେଟ । କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତରେ ବିଜେପି ପଲା ଭାରି ହେଉଥିବା ବେଳେ କଂଗ୍ରେସ ବି କଚ୍ଛପ ଗତିରେ ଓଜନ ବଢାଇବାରେ ଲାଗିଛି । ଗୁରୁବାର ଯାଜପୁରର ବରୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟପଟେ ଭଦ୍ରକରେ ୟୁପି କଂଗ୍ରେସ ଅଧ୍ୟକ୍ଷ ରାଜ ବବ୍ବର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କରୁଛନ୍ତି ଭୋଟ ଅପିଲ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ ଭଦ୍ରକରେ ବହୁମତ ଗଢିବା ଲକ୍ଷ୍ୟରେ କଂଗ୍ରେସ ହେଭିୱେଟ ନେତା ରାଜ ବବ୍ବରଙ୍କ ବିଶାଳ ରୋଡ ସୋ । ନରେନ୍ଦ୍ର ମୋଦି ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ତାହା ସେ ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ । ଏଣୁ ଚଳିତଥର ଉଭୟ କେନ୍ଦ୍ର ଓ ଓଡିଶାରେ ମଧ୍ୟ କଂଗ୍ରେସ ନିଶ୍ଚିତ ସରକାର ଗଢିବ ବୋଲି ଦୃଢୋକ୍ତି ଦେଇଛନ୍ତି ସେ ।
ନିର୍ଦ୍ଧାରିତ ସମୟରେ ସେ ହେଲିକପ୍ଟର ଯୋଗେ ଆସି ପୁରୁଣା ବଜାର ସ୍ଥିତ ମହାବୀର ପଡିଆ ଠାରେ ପହଞ୍ଚିଥିଲେ । ପରେ ସେଠାରୁ ବାଙ୍କା ବଜାର, ପୁରୁଣା ବଜାର, ସାନ ଶଙ୍କରପୁର, ଲାହାପଟି, ସନ୍ଥିଆ, କଚେରୀ ବଜାର, ବଙ୍କସାହି, ନୂଆବଜାର, କୁଆଁସ, କଦମବେଡା, ଚନ୍ଦନ ବଜାର ଏବଂ ବଡ ଶଙ୍କରପୁର ଆଦି ସ୍ଥାନରେ ରୋଡ ଶୋ’ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନଳିନୀ କାନ୍ତ ମହାନ୍ତି ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ମଧୁସ୍ମିତା ସେଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତା ଅଂଶଗ୍ରହଣ କରିଥିଲେ।
ଭଦ୍ରକରେ କଂଗ୍ରେସ ବହୁମତରେ ବିଜୟ ହେବ ବୋଲି ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ଚାଷ ତଥା ଚାଷୀ ସମସ୍ୟା, ବେକାରୀ ସମସ୍ୟା, ଆହେତୁକ ଦରଦାମ ବୃଦ୍ଧି ସହ ନାରୀ ଜାତିକୁ ସ୍ୱାବଲମ୍ବୀ କରିବା ଆଦି ମୁଦ୍ଦା ନେଇ ଚଳିତଥର ନିର୍ବାଚନ କୁ କଂଗ୍ରେସ ଓହ୍ଲାଇଛି ବୋଲି କହିଛନ୍ତି ଉଭୟ ରାଜ ବବର ଏବଂ ନରସିଂହ ମିଶ୍ର ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ