ଭଦ୍ରକ:କ୍ରୀଡା ହବ୍ ହେବାକୁ ଯାଉଛି ଓଡିଶା । ହେଲେ ଭଦ୍ରକରେ ଜିଲ୍ଲାସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଆଜି ପର୍ଯ୍ୟନ୍ତ ଜାଗା ନିରୂପଣ ହୋଇ ପାରିନାହିଁ । ତେବେ କ୍ରୀଡା ଭିତ୍ତିଭୂମିର ଉନ୍ନତି ନହେବା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି । 1993 ମସିହାରୁ ଭଦ୍ରକ ଏକ ଜିଲ୍ଲା ହେବା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡା କ୍ଷେତ୍ରରେ କୌଣସି ଆଗ୍ରହ ପ୍ରକାଶ କରାଯାଇ ନାହିଁ । ରାଜ୍ୟ ସରକାର 2015 ମସିହା ପରେ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ।
କିନ୍ତୁ ଯେତେ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାରେ ଆଉଟଡୋର ଷ୍ଟାଡିୟମର ନିର୍ମାଣ କରାଯାଇ ନାହିଁ, ସେତେ ପର୍ଯ୍ୟନ୍ତ ଜିଲ୍ଲାରେ ଖେଳକୁଦ ଏବଂ ଏହା ସହିତ ଜଡ଼ିତ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଅନେକ ସମ୍ଭାବନାର ବିକାଶ ହୋଇପାରିବ ନାହିଁ ବୋଲି ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ପ୍ରକାରର ଆଥଲେଟିକ ଇଭେଣ୍ଟ ସହିତ ଫୁଟବଲ, କ୍ରିକେଟ ପାଇଁ ପଡ଼ିଆ, ସିନ୍ଥେଟିକ ହକି ଗ୍ରାଉଣ୍ଡ, ସୁଇମିଂ ପୁଲ ଆଦି ନିର୍ମାଣ ହେଲେ ଉଭୟ ଖେଳ ତଥା ଖେଳାଳିର ପ୍ରକୃତ ବିକାଶ ହୋଇପାରିବ । କିନ୍ତୁ ସରକାର ପ୍ରସ୍ତାବ ଦେବାର ପ୍ରାୟ 10 ବର୍ଷରୁ ଊର୍ଦ୍ଧ୍ଵ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଆଉଟଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାରେ ବିଫଳ ହୋଇଛନ୍ତି । ସେହିପରି ଜିଲ୍ଳା ପ୍ରଶାସନ ଅନ୍ତର୍ଗତ ସ୍ପେଶାଲ ପ୍ଲାନିଂ ଅଥରିଟି କୋରକୋରା ପଞ୍ଚାୟତ ଠାରେ 15 ଏକର ଜାଗା ରିକ୍ରିଏସନାଲ ଜୋନ ପାଇଁ ସ୍ଥାନ ନିରୂପଣ କେବଳ କାଗଜ କଲମରେ ରହିଯାଇଥିବାରୁ ଏ ସମ୍ବନ୍ଧରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- କ୍ରୀଡା ପ୍ରତିଭାଙ୍କ ପାଇଁ ନାହିଁ ଭିତ୍ତିଭୂମି, ଆଉଟଡୋର ଖେଳକୁ ମନ ବଳାଉନାହାନ୍ତି ଖେଳାଳି