ଭଦ୍ରକ:ଚାନ୍ଦବାଲି ଅଞ୍ଚଳର ପୁଅ ଚିତ୍ତରଞ୍ଜନ ତ୍ରିପାଠୀ ହେଲେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ । ଏକା ଧାରାରେ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ତଥା ନାଟ୍ୟ କର୍ମୀ ଭାବେ ବେଶ ସୁପରିଚିତ ଚିତ୍ତରଞ୍ଜନ ତ୍ରିପାଠୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ସୂଚନା ମିଳିଛି । ଏଥିପାଇଁ ଚନ୍ଦବାଲି ଅଞ୍ଚଳ ତଥା ତାଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ପରିଣତ ବୟସରେ ଚିତ୍ତରଞ୍ଜନଙ୍କ ବୃଦ୍ଧ ବାପା ତାଙ୍କ ପୁଅର ସଫଳତାର ଶୀର୍ଷରେ ପହଞ୍ଚି ପାରି ଥିବାରୁ ବେଶ ଖୁସି ଅନୁଭବ କରୁଛନ୍ତି । ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବରେହିଁପୁର ଠାରେ ଜନ୍ମିତ ଏହି ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପାଇଁ ସାରା ଅଞ୍ଚଳ ବେଶ ଗର୍ବ ଅନୁଭବ କରୁଛି । ଦେଶ ତଥା ବିଦେଶରେ ପ୍ରତିଷ୍ଠାଲାଭ କରିଥିବା ପ୍ରଖ୍ୟାତ ଅନୁଷ୍ଠାନ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ପୁଅ ।
ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ଏକା ଧାରରେ ଜଣେ ଅଭିନେତା, ନାଟ୍ୟ କର୍ମୀ ତଥା କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ । ସେ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଏବଂ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିଲେ। ସେ ଉଭୟ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ । ‘ଧଉଳି ଏକ୍ସପ୍ରେସ’ ଲାଗି ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ଛଡ଼ା ସେ କେତେକ ହିନ୍ଦୀ ଚଳଚ୍ଚିତ୍ର, ବିଭିନ୍ନ ପ୍ରକାରର ଧାରାବାହିକ ସହ ୱେବସିରିଜରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଛନ୍ତି । ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ ରେ ତ୍ରିଦେବୀ ଚରିତ୍ର ପାଇଁ ଚିତ୍ତରଞ୍ଜନ ବେଶ ଜଣାଶୁଣା । ଏହାସହ ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିଷଣ ଏବଂ ନାଟ୍ୟ କର୍ମଶାଳା ପାଇଁ ଲୋକପ୍ରିୟତା ଅର୍ଜନ କରିଛନ୍ତି।