ଓଡିଶା

odisha

ETV Bharat / state

ସମଲିଙ୍ଗି ବିବାହ ଆମ ସଂସ୍କୃତି ନୁହେଁ: ଭଦ୍ରକ ନାରୀ ସମାଜ

ସମଲିଙ୍ଗି ବିବାହକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ଭଦ୍ରକ ନାରୀ ସମାଜ । ଅଧିକ ପଢନ୍ତୁ

By

Published : Apr 29, 2023, 12:56 PM IST

Updated : Apr 29, 2023, 2:13 PM IST

same sex marriage petition
same sex marriage petition

same sex marriage petition

ଭଦ୍ରକ:ସମଲିଙ୍ଗି ବିବାହକୁ ସ୍ଵୀକୃତି ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦାଖଲ ହୋଇଥିବା ପିଟିସନକୁ ତୀବ୍ର ବିରୋଧ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ଭଦ୍ରକ ନାରୀ ସମାଜ । ସମଲିଙ୍ଗି ବିବାହ ଆମ ସଂସ୍କୃତି ନୁହେଁ, ଏହା ଅପ ସଂସ୍କୃତି ବୋଲି କହିଛନ୍ତି ନାରୀ ସମାଜର ସଦସ୍ୟା ।

ଏନେଇ ଭଦ୍ରକ ନାରୀ ସମାଜ କହିଛି ଯେ,''ଭାରତ ବିଭିନ୍ନ ଧର୍ମ, ଜାତି, ଉପଜାତିର ସମାହାର । ପ୍ରାକ ବୈଦିକ କାଳରୁ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି ଦିଆଯାଇଛି । ଏହି ବିବାହ କେବଳ ବ୍ୟକ୍ତିଗତ ବ୍ୟବସ୍ଥା ନୁହେଁ ବରଂ ଏହା ମାନବ ଜାତିର ଅଗ୍ରଗତି କ୍ଷେତ୍ରରେ ଉପାଦେୟ ଏବଂ ଆବଶ୍ୟକ । ତେଣୁ ବିବାହ ବନ୍ଧନ ବ୍ୟବସ୍ଥାକୁ ଏକ ପବିତ୍ର ମିଳନ ଭାବରେ ଭାରତୀୟ ସଂସ୍କୃତି ସ୍ବୀକୃତି ଦେଇଛି । ବିଦେଶୀ ପରମ୍ପରା ତଥା ସଂସ୍କୃତି ପରି ଏହା କେବଳ ଏକ ଚୁକ୍ତିନାମା ନୁହେଁ । ସମଲିଙ୍ଗି ବିବାହ ହେଉଛି ଭାରତୀୟ ସଂସ୍କୃତି ବିରୋଧୀ ଏବଂ ପ୍ରକୃତି ବିରୋଧୀ । ପ୍ରକୃତି ପୁରୁଷ ଏବଂ ନାରୀକୁ ସୃଷ୍ଟି କରିଛି । ସେମାନେ ପରସ୍ପର ପରିପୂରକ ।

''ଭାରତୀୟ ସଂସ୍କୃତିରେ ବିବାହ ଏକ ବନ୍ଧନ ଭାବେ ଅଭିହିତ । ଯାହା ଦୁଇଟି ପରିବାର ମଧ୍ୟରେ ସମ୍ପର୍କର ସେତୁ ସୃଷ୍ଟି କରେ । ଏହା ଏକ ସାମାଜିକ ବିଧି ବ୍ୟବସ୍ଥା । ପୁରୁଷ ପୁରୁଷକୁ ଏବଂ ମହିଳା ମହିଳାକୁ ଭଲ ପାଇବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ବିବାହର ସ୍ବୀକୃତି ଦେବା ଆଦୌ ଠିକ ନୁହେଁ । ତେଣୁ ସମଲିଙ୍ଗି ବିବାହକୁ ସ୍ଵୀକୃତି ପ୍ରଦାନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଥିବା ପିଟିସନକୁ ଆମେ ତୀବ୍ର ବିରୋଧ କରୁଛୁ ।'' ଭଦ୍ରକର ମହିଳା ସମାଜର ପ୍ରତିନିଧି ନଳିନୀବାଳା ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । କିନ୍ତୁ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ରାମଚନ୍ଦ୍ର ଟୁଡୁଙ୍କୁ ଭେଟି ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

ଗତ 27 ତାରିଖ ଦିନ ସୁପ୍ରିମକୋର୍ଟରେ ସମଲିଙ୍ଗି ବିବାହ ସମ୍ପର୍କରେ ଶୁଣାଣି ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା । ଯଦି ସମଲିଙ୍ଗି ବିବାହକୁ ମାନ୍ୟତା ମିଳେ ତେବେ କିଏ ହେବେ ବାପା କିଏ ହେବେ ମା, ଏହାର ନିର୍ଦ୍ଧାରଣ କିଭଳି ହେବ, ସମଲିଙ୍ଗି ପାର୍ଟନର ଯଦି ପରସ୍ପର ଭିନ୍ନ ଧର୍ମର ହୋଇଥିବେ କଣ ସ୍ଥିତି ଉପୁଜିବ ଏ ପ୍ରସଙ୍ଗ ସଂସଦରେ ଆଲୋଚନା ହେଉ । ସଂସଦ ହିଁ ଏହି ପ୍ରସଙ୍ଗରେ ସଠିକ ନୀତି ନିର୍ଦ୍ଧାରଣ କରିବେ ବୋଲି ଯୁକ୍ତି ବାଢିଥିଲେ ତୁଷାର ମେହଟ୍ଟା ।


ଇଟିଭି ଭାରତ, ଭଦ୍ରକ

Last Updated : Apr 29, 2023, 2:13 PM IST

ABOUT THE AUTHOR

...view details