ଭଦ୍ରକ: ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା । 480 କିଲୋମିଟର ରାଜ୍ୟର ସାମୁଦ୍ରିକ ସୀମା । ଏଥିମଧ୍ୟରୁ ଭଦ୍ରକ ଜିଲ୍ଲାର ସାମୁଦ୍ରିକ ସୀମା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଜିଲ୍ଲାର ଧାମରା ଠାରେ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ସହ ଏଠାରେ ମଧ୍ୟ ଏକ ବୃହତ ବନ୍ଦର ଅଛି । ହେଲେ ଏଠାରେ ଥିବା ତିନିଟି ସାମୁଦ୍ରିକ ଥାନା ଏବେ କୋମାରେ ।
ତଟୀୟ ସମସ୍ୟାକୁ ସମାଧାନ କରିବା ପାଇଁ ଏଠାରେ ସାଧନ ନାହିଁ । ତଟସୁରକ୍ଷା କଥା ନକହିବା ଭଲ । ଧାମରା, ଚୂଡାମଣି ଏବଂ କଷିଆ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାର ମୂଳ ଲକ୍ଷ୍ୟ ଥିଲା ଜଳ ପଥରେ ଅନୁପ୍ରବେଶକାରୀଙ୍କୁ ପ୍ରତିହତ କରିବା ସହ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର, ବନ୍ଦର ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା । ହେଲେ ସ୍ଵଳ୍ପ କର୍ମଚାରୀଙ୍କୁ ନେଇ ଚାଲିଛି ବର୍ତ୍ତମାନ ଏହିସବୁ ଥାନା ।
ଅନ୍ୟପକ୍ଷରେ କେଉଁଠି ବୋଟ୍ ଅଛି ତ ତେଲ ନାହିଁ ଏବଂ କେଉଁଠି ବୋଟ ଟିଏ ମଧ୍ୟ ନଥିବାରୁ ସମୁଦ୍ରରେ ପାଟ୍ରୋଲିଂ କିପରି ହେଉଛି ସହଜେ ଅନୁମେୟ । ଏନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।