ଓଡିଶା

odisha

By

Published : Aug 6, 2019, 10:17 PM IST

ETV Bharat / state

ଅଧ୍ୟାପକ ମରୁଡି, ଭଦ୍ରକ କଲେଜରେ ଶିକ୍ଷାଦାନ କରୁଛନ୍ତି ଠିକା ଅଧ୍ୟାପକ

ଭଦ୍ରକ କଲେଜରେ ଅଧ୍ୟାପକ ଅଭାବ । ଅଧ୍ୟାପକ ନଥିବାରୁ ଶିକ୍ଷାଦାନ କରୁଛନ୍ତି ଠିକା ଅଧ୍ୟାପକ । ଫଳରେ ଶିକ୍ଷାଗ୍ରହଣ ପାଇଁ ବାଧା ଉପୁଜୁଛି । ଏପଟେ ଖୁବଶୀଘ୍ର ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ।

ଡିଜାଇନ ଫଟୋ

ଭଦ୍ରକ: କୋମାରେ ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟ । ଆବଶ୍ୟକତା ଅନୁଯାୟୀ ଅଧାରୁ ଅଧିକ ଅଧ୍ୟାପକ ପଦବୀ ପଡିଛି ଖାଲି । ତେଣୁ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷାଦାନ ବ୍ୟବସ୍ଥା । ଫଳରେ ଶିକ୍ଷାଗ୍ରହଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏନେଇ କର୍ତ୍ତୃପକ୍ଷ ବାରମ୍ବାର ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ହୋଇନାହିଁ ସମସ୍ୟାର ସମାଧାନ । ଏପଟେ ‘ଇଟିଭି ଭାରତ’କୁ ପ୍ରତିଶ୍ରୁତି ଦେଇ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
1948 ମସିହା ରେ 31 ଏକର ପରିମିତ ପରିସରରେ ପ୍ରତିଷ୍ଠା ହୋଇଥିଲା ଭଦ୍ରକ ମହାବିଦ୍ୟାଳୟ । ପ୍ରଥମେ +2 ଏବଂ ପରେ +3 ବିଭାଗ ଖୋଲିଥିଲା । ହେଲେ 1976 ଶିକ୍ଷାବର୍ଷ ପର୍ଯ୍ୟନ୍ତ ଏଠାରେ ପିଜି ବିଭାଗ ନଥିଲା । ସେତେବେଳେ ଆବଶ୍ୟକ ମୋଟ 194 ଜଣ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ପରେ 2003 ମସିହାରେ ଏଠାରେ ପିଜି ବିଭାଗ ସହ ଅନ୍ୟାନ୍ୟ ଉଚ୍ଚଶିକ୍ଷା ବିଭାଗ ଖୋଲିଲା । ଏଥିସହ 2004 ମସିହାରେ ଏହା ସ୍ଵଂୟଶାସିତ ମହାବିଦ୍ୟାଳୟ ର ମାନ୍ୟତା ମଧ୍ୟ ପାଇଲା । ହେଲେ ଆଶ୍ଚର୍ଯ୍ୟର କଥା ଏଠାରେ ନିଯୁକ୍ତ 194 ଟି ଅଧ୍ୟାପକ ଅଧ୍ୟାପିକା ପଦବୀକୁ ସରକାର 120 କୁ ହ୍ରାସ କରିଦେଇଛନ୍ତି ।

ତେବେ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ଏହି 120 ଟି ସରକାରୀ ଅନୁମୋଦିତ ପଦବୀ ମଧ୍ୟରୁ କେବଳ 59 ଟି ପଦବୀ ରେ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି । ଅନ୍ୟ ପଦବୀ ଖାଲି ପଡିଛି । ଯାହାକି ଆବଶ୍ୟକତା ଅନୁଯାୟୀ ଅଧା ରୁ ଅଧିକ ପଦବୀ ଖାଲି ।

ଏପଟେ ନିଅଣ୍ଟିଆ ଅଧ୍ୟାପକ ସମସ୍ୟାରେ ଜୁଝୁଥିବା ଏହି କଲେଜ ଠିକା ଭିତ୍ତିରେ ଅଧ୍ୟାପକ ନିଯୁକ୍ତି ଦେଇ ଯେନତେନ ପ୍ରକାରେ ବିଭିନ୍ନ ଶ୍ରେଣୀ ଏବଂ ବିଭାଗର ପାଠ ପଢା ଜାରି ରଖିଛନ୍ତି । ତେବେ ଅଧ୍ୟାପକ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟୟନ କ୍ଷେତ୍ରରେ ସମସ୍ୟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । କଲେଜରେ ବିଭିନ୍ନ ଶ୍ରେଣୀ ଏବଂ ବିଭାଗରେ 7000 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି ।

ତେବେ ସ୍ଵଂୟଶାସିତ ମହାବିଦ୍ୟାଳୟର ସ୍ଥିତି ନେଇ ଆମେ ଭଦ୍ରକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଦୀର୍ଘଦିନ ଧରି ଲଗି ରହିଥିବା ଏହି ସମସ୍ୟାକୁ ପରୋକ୍ଷରେ ସ୍ଵୀକାର କରିଛନ୍ତି କଲେଜର ପୁରାତନ ଛାତ୍ର ତଥା ବର୍ତ୍ତମାନର ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ହେବ ବୋଲି ସେ ‘ଇଟିଭି ଭାରତ’କୁ ପ୍ରତିଶ୍ରୁତି ଦେଇଛନ୍ତି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details