ଓଡିଶା

odisha

ETV Bharat / state

ଘୋଷଣା ହେଉନି ଛାତ୍ର ସଂସଦ ନିର୍ବାଚନ ତାରିଖ, ବର୍ଷଲା ABVP - bhadrak abvp

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ତୁରନ୍ତ ନିର୍ବାଚନ ତାରିଖ ଘୋଷଣା କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ

abvp demands for student union election
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଠିଲା ଦାବି

By

Published : Jul 23, 2023, 9:32 AM IST

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଠିଲା ଦାବି

ଭଦ୍ରକ: ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିବା ନେଇ ବଢୁଛି ଛାତ୍ର ଅସନ୍ତୋଷ । ନିର୍ବାଚନ ବନ୍ଦ ହେବା ଦିନଠାରୁ ବିଭିନ୍ନ କଲେଜରେ ଗୁଣ୍ଡାରାଜ ଚାଲିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି । ସରକାର ତୁରନ୍ତ ଏ ଦିଗରେ ନିଷ୍ପତ୍ତି ନେଇ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ପୁନଃ ନିର୍ବାଚନ କରିବାକୁ ଭଦ୍ରକ ଜିଲ୍ଲା ଏବିଭିପି ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବାର ଚେତାବନୀ ଦିଆଯାଇଛି ।

ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ଯାହାକୁ ନେଇ ବିଭିନ୍ନ କଲେଜରେ ଛାତ୍ର ଅସନ୍ତୋଷ ଏବଂ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ଏହାର ସମାଧାନ ମଧ୍ୟ ହୋଇ ପାରୁନାହିଁ । ଏନେଇ ଭଦ୍ରକ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମୁଖ୍ୟ କହିଛନ୍ତି, "ରାଜ୍ୟର ମହାବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ ବାତାବରଣର ଉନ୍ନତି ଆଣିବା ବାହାନାରେ ନିର୍ବାଚନ ବନ୍ଦ କରିଛନ୍ତି । କିନ୍ତୁ, ଉତ୍କଳ ବିଶ୍ବ ବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ସମେତ ଅନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ‘ନାକ୍’ ଗ୍ରେଡ କମିବା କି ପ୍ରକାର ଶୈକ୍ଷିକ ଉନ୍ନତି ? ମହର୍ଷି ମହାବିଦ୍ୟାଳୟ, ବିଜେବି ମହାବିଦ୍ୟାଳୟରେ ଅଣଛାତ୍ର ମାନଙ୍କ ଦୌରାତ୍ମ୍ୟ, ଗଞ୍ଜାମ ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ରାଗିଂ ଆଦି ଘଟଣାରେ ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ କମିଟିର ସମ୍ପୃକ୍ତି ରହିଛି । କଲେଜ ପରିସରକୁ ଗୁଣ୍ଡାରାଜ ଦ୍ବାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ସରକାର: ABVP

ଏବିଭିପି ଆହୁରି ମଧ୍ୟ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷ ମାନେ ବସ ମାଧ୍ୟମରେ ସଭାସ୍ଥଳକୁ ନେଉଥିବା ବେଳେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏମିତିକି ପାଣ୍ଡିଆନଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ ପାଇଁ କଲେଜରେ ପରୀକ୍ଷା ବି ବାତିଲ କରାଗଲା । କାହା ପ୍ରରୋଚନାରେ କଲେଜ ଅଧ୍ୟକ୍ଷ ମାନେ ଏଭଳି ଅନୁଚିତ କାମ କରୁଛନ୍ତି ବୋଲି ଏବିଭିପି ପ୍ରଶ୍ନ କରିଛି । ରାଜ୍ୟରେ ଶହଶହ ସଂଖ୍ୟାରେ ଅଧ୍ୟାପକ ପଦ ଖାଲି ପଡିଥିବା ବେଳେ କ୍ୟାମ୍ପସ୍‌ରେ ଦୁର୍ନୀତି ବଢି ଚାଲିଛି । 5T ନାଁରେ ନିମ୍ନମାନର କାମ କରାଯାଉଛି ।

ବାଙ୍କୀ କଲେଜରେ ଗ୍ୟାଲେରି ଭୁଶୁଡ଼ିବା, ରମାଦେବୀ ବିଶ୍ବ ବିଦ୍ୟାଳୟର ପାଚେରି ଭୁଶୁଡ଼ିବା ଗୋଟିଏ ଗୋଟିଏ ଉଦାହରଣ ମାତ୍ର । ଏଥିସହ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଜାଲ ସାର୍ଟିଫିକେଟ ଘଟଣାକୁ ଚାପି ଦିଆଗଲା । ତେଣୁ ବେଳ ଥାଉ ଥାଉ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ । ବିଭିନ୍ନ କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦ ପୂରଣ, ଭଦ୍ରକ କଲେଜକୁ ବିଶ୍ବ ବିଦ୍ୟାଳୟ ଘୋଷଣା ଏବଂ 5T ସଚିବଙ୍କ ପାଇଁ ସଂଖ୍ୟା ଯୋଗାଡ ବନ୍ଦ କରି ରାଜ୍ୟ ସରକାର ଶିକ୍ଷା ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ । ଅନ୍ୟଥା କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ତେଜିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details