ଭଦ୍ରକ:ଗରିବ ଲୋକଙ୍କ ପାଇଁ ଆସୁଥିବା PDS ଚାଉଳ ବଣ୍ଟନରେ ଅନିୟମିତତା ଯୋଗୁଁ ତାତିଲେ ଉପଭୋକ୍ତା । ପଞ୍ଚାୟତ ତଥା ବିଭାଗୀୟ ପ୍ରଶାସନକୁ ଦାୟୀ କରି ରାଜ ରାସ୍ତାରେ କଲେ ପ୍ରତିବାଦ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅଚକ ପଞ୍ଚାୟତ ଠାରେ । ତେବେ ଏନେଇ ପୋଲିସ ପକ୍ଷରୁ ହସ୍ତକ୍ଷେପ ତଥା ବୁଝାସୁଝା କରାଯିବା ପରେ ଘଟଣାର ସମାଧାନ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଖାଉଟି ହିତାଧିକାରୀ ମାନଙ୍କ ପାଇଁ ଏପ୍ରିଲ, ମଇ ଏବଂ ଜୁନ ମାସର ମାଗଣା ଆସିଥିବା ଚାଉଳ ପ୍ରଦାନ କରିବାରେ ପଞ୍ଚାୟତ ପ୍ରଶାସନ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ତେବେ କିଛି ହିତାଧିକାରୀଙ୍କୁ ଏହି ଚାଉଳ ପ୍ରଦାନ କରାଯାଇଥିବା ବେଳେ ସାନ୍ତରାପୁର ବାଲିପାଳ ଏବଂ ନନ୍ଦପୁର ମୁସଲମାନ ସାହିର ଖାଉଟି ଉପଭୋକ୍ତା ମାନଙ୍କ ଆଇ ସ୍କାନ କରାଯାଇଥିଲେ ମଧ୍ୟ ସେମାନଙ୍କ ଚାଉଳ ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟକୁ ଉପଭୋକ୍ତା ମାନେ ଦୌଡି ଦୌଡି ନୟାନ୍ତ ହେଲେଣି । ତିନି ମାସର ଚାଉଳ ମଧ୍ୟରୁ ଏକ ମାସର ଚାଉଳ ଦେବା ଲାଗି ପଞ୍ଚାୟତ ପ୍ରଶାସନ ପକ୍ଷରୁ ସକାଳେ କୁହାଯାଇଥିଲା । ଯାହାକୁ ନେଇ ଖାଉଟି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଉତ୍ୟକ୍ତ ଉପଭୋକ୍ତା ମାନେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବସି ପ୍ରତିବାଦ କରିଥିଲେ । ଫଳରେ ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଯାନ ବାହାନ ଚଳାଚଳ ବନ୍ଦ ହୋଇଯିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା ।