ଭଦ୍ରକ: କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ଥମୁନି ବିବାଦ । କାମିଆଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇଥିବାରୁ ଭଦ୍ରକରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବିରୋଧ କରାଯାଇଛି । ଭଦ୍ରକ ଗସ୍ତରେ ଆସି ଭିକେ ପାଣ୍ଡିଆନ ବାବା ଆଖଣ୍ଡଳମଣୀ ମନ୍ଦିର ପରିଦର୍ଶନ କରିବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ମନ୍ଦିରର ପବିତ୍ରତା ନଷ୍ଟ ହୋଇଥିବା ଅଭିଯୋଗ କରି ମନ୍ଦିରରେ ଗଙ୍ଗା ପାଣି ଏବଂ ଗୋବର ପାଣି ଛିଞ୍ଚନ କଲେ ବିଜେପି କର୍ମୀ ଓ ସେବାୟତ । କାମିଆ ଜାନିଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇ ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ପାଣ୍ଡିଆନ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ କରି ଏପରି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ବୁଧବାର ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗସ୍ତ ସମୟରେ ପାଣ୍ଡିଆନ ଆଖଣ୍ଡଳମଣୀ ପୀଠରେ ବାବାଙ୍କ ଦର୍ଶନ କରିବା ସହିତ ମନ୍ଦିର ସୌନ୍ଦର୍ଯ୍ୟକରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ ଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ 50 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ପ୍ରକାଶ କରିଥିଲେ । ଏଥିସହ ସାଳନ୍ଦି ନଦୀ ଧାନଖଣିଆ ଫେରି ଘାଟରେ ସେତୁ ନିର୍ମାଣ ଲାଗି 80 କୋଟି, ମନ୍ତେଇ ନଦୀ ପଞ୍ଚୁଟିକ୍ରୀ ଫେରି ଘାଟରେ ସେତୁ ନିର୍ମାଣ ଲାଗି 50 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାଇଥିଲେ ।
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗମନାଗମନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ପାଖାପାଖି 300 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସାଧାରଣରେ କହିଥିଲେ ପାଣ୍ଡିଆନ । ସେହିପରି ଆଗକୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବା ନେଇ ମତ ରଖିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଉପସ୍ଥିତ ରହି ରୂପାନ୍ତର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।