ଭଦ୍ରକ: ସମ୍ପତ୍ତି ଲୋଭରେ ବୃଦ୍ଧାକୁ ନୃଶଂସ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ତିହିଡ଼ି ଥାନା ଅଧିନ ହାଟୁଆରୀ ଗାଁରେ । ସମ୍ପତ୍ତି ହାତେଇବା ପାଇଁ ବିଧବା ବୃଦ୍ଧାଙ୍କୁ ଶ୍ବଶୁର ଘର ଲୋକେ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ଚନ୍ଦିନୀ ମହାଳିକ । ଗତକାଲି ଶାଶୁ ଘରଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ଅପରାହ୍ନ ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ହତ୍ୟାକାଣ୍ଡରେ 13 ଜଣଙ୍କର ସଂପୃକ୍ତି ଥିବାନେଇ ବୃଦ୍ଧାଙ୍କ କକାଙ୍କ ପୁଅ ପ୍ରତାପ ମହାଳିକ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ହାଟୁଆରୀ ଗାଁର ଚନ୍ଦିନୀ ମହାଳିକ ଭୈରବ ମହାଳିକଙ୍କୁ ବିବାହ କରିଥିଲେ । ଗତ ଦେଢ ମାସ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର କୌଣସି ସନ୍ତାନ ନଥିବାରୁ ସମ୍ପତ୍ତିକୁ ହାତେଇବା ଲୋଭରେ ଶ୍ବଶୁର ଘର ଲୋକେ ବୃଦ୍ଧା ଚନ୍ଦିନୀଙ୍କୁ ବିଭିନ୍ନ ସମୟରେ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ସମ୍ପତ୍ତିର ଦଲିଲ କରିବା ଲାଗି ବାଧ୍ଯ କରୁଥିଲେ । କିନ୍ତୁ ବୃଦ୍ଧା ଜଣଙ୍କ ରାଜି ନହେବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିବା ବେଳେ ଗତକାଲି ଏହି ହତ୍ୟାକାଣ୍ଡ ଘଟାଇ ଶ୍ବଶୁର ଘର ସମ୍ପର୍କୀୟ ମାନେ ଫେରାର ହୋଇଯାଇଥିଲେ।