ଭଦ୍ରକ: ମୁଁ ବଞ୍ଚିବାକୁ ଚାହେଁ । ମୁଁ ନିଜ ଗୋଡରେ ଠିଆ ହେବି । ମୁଁ ଚାଲିବି । ମୁଁ ପୁଣି ପାଠ ପଢିବି । ହେଲେ ବାପା ମାଁଙ୍କ ମୁଣ୍ଡରେ ବୋଝ ହୋଇ ନୁହେଁ । ମତେ ସାହାଯ୍ୟ କର ... ନଚେତ ମତେ ମରିବାକୁ ଅନୁମତି ଦିଅ.. ତିଳ ତିଳ କରି ମୃତ୍ୟୁକୁ ଆଖି ଆଗରେ ଦେଖୁଥିବା ଶୀତଳ କୋହଭରା କଣ୍ଠରେ କରିଛି ଇଚ୍ଛାମୃତ୍ୟୁର ଆବେଦନ ।
11 ମାସ ଧରି ଝିଅକୁ ଏପରି ଖଟିଆରେ ଯନ୍ତ୍ରଣା ପାଉଥିବା ଦେଖି ଫାଟିଯାଉଛି ମା’ର ଛାତି । ଦୁଃଖ ବଖାଣୁ ବଖାଣୁ ଝରିଯାଉଛି ଲୁହ । 5 ଝିଅକୁ ଖୁଆଇ ପିଆଇ ବଡ କରିବା ଟେନସନ । ଉପରେ ଶୀତଳ ଚିକିତ୍ସା ଖର୍ଚ୍ଚ । ବାପା ସୁବାଷ ସାହୁ ମଧ୍ୟ ଏଭଳି ସମସ୍ୟାର ଭାରରେ ଯେପରି ଏହି ପରିବାର ଭାଙ୍ଗିପଡିଛନ୍ତି ।
2018 ଜୁଲାଇ 19 ଅପରାହ୍ନ । ଭଦ୍ରକ ୧୬ ନଂ ଏନଏଚ ରାହାଞ୍ଜ ଛକରେ ଟ୍ରକ ତଳକୁ ଆସି ଉଡିଯାଇଥିଲା ରାଣୀତାଲ ସ୍କୁଲର 5 ନୀରିହ ଶିଶୁଙ୍କ ପ୍ରାଣବାୟୁ । ଏହି ଦୁର୍ଘଟଣାରେ ସୁବାଷଙ୍କ ବଡ ଝିଅ ଶ୍ବେତାର ମଧ୍ୟ ମୃତ୍ୟୁ ଘଟିଥିଲା । ହେଲେ ସୌଭାଗ୍ୟ ବଶତଃ ସାନ ଝିଅ ବଞ୍ଚିଯାଇଥିଲେ ଶୀତଲ । କିନ୍ତୁ ଦୁର୍ଘଟଣାରେ 2 ଗୋଡରେ ଗଭୀର ଆଘାତ ପାଇ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଛନ୍ତି । ସେତେବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୁବାଷଙ୍କୁ ଦୁଇଲକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦୁଇଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଯାହା ଶୀତଲର ଚିକିତ୍ସା ଦିଗରେ ସମୁଦ୍ରକୁ ଶଙ୍ଖେ ।