ବରଗଡ: ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି ବିଜେପୁର ଉପନିର୍ବାଚନ। ଏଥିପାଇଁ 3 ପ୍ରମୁଖ ଦଳ ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇ ପାର୍ବଣ ସମୟରେ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ବିଜେପୁର ଫାଇଟ୍ ରାଜ୍ୟରେ କ୍ଷମତାସୀନ ବିଜେଡି ପାଇଁ ଏକ ଚାଲେଞ୍ଜ ଭାବେ ଛିଡା ହୋଇଛି।
ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା, ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ବିଜେପି ପକ୍ଷରୁ 2019 ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନଥ ଗଡତିଆଙ୍କ ଉପରେ ପୁଣିଥରେ ଭରସା କରିଛି ଦଳ । ତେବେ ସମସ୍ତ ଦଳ ଏବେ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବା ଭଳି ବିଜେପୁରବାସୀ କାହାକୁ ନିଜର ପ୍ରତିନିଧି ରୂପେ ବାଛିବେ ତାହା ଉପରେ ରହିଛି ନଜର ।
ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟକୁ ଅନୁଧ୍ୟାନ କରିଲେ ଏହା ସ୍ପଷ୍ଟ ଯେ ଲଗାତାର ଭାବେ ବିଜେପୁର ନିର୍ବାଚନମଣ୍ଡଳୀରେ ଦୁଇ ଦୁଇ ଥର ଉପନିର୍ବାଚନ ଅନୁଷ୍ଠିତ ହୋଇଛି । 2018ରେ ସେତେବେଳର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଧାୟକଙ୍କ ପତ୍ନୀ ପତ୍ନୀ ରିତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ ବାଜିମାତ୍ କରିଥିଲେ।