ଓଡିଶା

odisha

ETV Bharat / state

ଆଶଙ୍କାରେ ଭକ୍ତର ଆସ୍ଥା, ନିଶ୍ଚିହ୍ନ ହୋଇପାରେ ପଶ୍ଚିମ ଓଡିଶାର ଗଙ୍ଗା !

ଆସ୍ଥା, ଭକ୍ତି, ଶ୍ରଦ୍ଧା ଓ ବିଶ୍ବାସର ପୀଠ ନୃସିଂହନାଥ ମନ୍ଦିର । ପ୍ରାକୃତିକ ଓ ସୌନ୍ଦର୍ଯ୍ୟଭରା ପରିବେଶରେ ବିରାଜମାନ ଏହି ମନ୍ଦିର ପଶ୍ଚିମ ଓଡିଶାର ଗଙ୍ଗା ନାମରେ ପରିଚିତ । ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ପୂର୍ଣ୍ଣିମା ସମୟରେ ଏଠାକାର ବିଭିନ୍ନ ଘାଟରେ ଭକ୍ତମାନେ ବୁଡ଼ ପକାଇଥାନ୍ତି | ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି ଯେ ନୃସିଂହନାଥର ଝରଣାରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ।

By

Published : Apr 24, 2019, 12:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

ବରଗଡ: ଆସ୍ଥା, ଭକ୍ତି, ଶ୍ରଦ୍ଧା ଓ ବିଶ୍ବାସର ପୀଠ ନୃସିଂହନାଥ ମନ୍ଦିର । ପ୍ରାକୃତିକ ଓ ସୌନ୍ଦର୍ଯ୍ୟଭରା ପରିବେଶରେ ବିରାଜମାନ ଏହି ମନ୍ଦିର ପଶ୍ଚିମ ଓଡିଶାର ଗଙ୍ଗା ନାମରେ ପରିଚିତ । ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ପୂର୍ଣ୍ଣିମା ସମୟରେ ଏଠାକାର ବିଭିନ୍ନ ଘାଟରେ ଭକ୍ତମାନେ ବୁଡ଼ ପକାଇଥାନ୍ତି | ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି ଯେ ନୃସିଂହନାଥର ଝରଣାରେ ବୁଡ଼ ପକାଇଲେ କୋଟି ଜନ୍ମର ପାପକ୍ଷୟ ହୋଇଥାଏ ।

ପଶ୍ଚିମ ଓଡ଼ିଶାର ଏହି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପଛରେ ଅନେକ ଅଲୌକିକ କାହାଣୀ ଲୁଚି ରହିଛି । ଏହି ପୀଠରେ ଭଗବାନ ଶ୍ରୀ ନୃସିଂହନାଥଙ୍କର ଦର୍ଶନ ମାତ୍ରକେ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ ହେଉଥିବା ବିଶ୍ବାସ ରହିଛି । ଯାହାଫଳରେ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବହୁ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ ଆସିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ଏଠାରେ ରହିଥିବା ଗୋକୁଣ୍ଡରେ ବୁଡ଼ ପକାଇଲେ ଗୋହତ୍ୟା ଭଳି ପାପର ପ୍ରାୟଶ୍ଚିତ ହୋଇଥାଏ । ଏହି ସବୁ ଧର୍ମବିଶ୍ବାସକୁ ନେଇ ବହୁ ଭକ୍ତ ଏଠାକୁ ଆସୁଥିବା ବେଳେ ଏଠାରେ ଥିବ ଗନ୍ଧମାର୍ଦନ ପାହାଡ ଉପରେ ରହିଛି ଅନେକ ଚିରସ୍ରୋତା ଝରଣା । ସେଗୁଡିକ ହେଲା କପିଳଧାର, ଭୀମଧାର, ଚାଳଧାର । ଏହି ସବୁ ଝରଣାର ଶୀତଳ ଜଳରେ ସ୍ନାନକରି ଏହାର ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁ ଦୂରଦୁରାନ୍ତରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି |

ବର୍ତ୍ତମାନ ଜିଲ୍ଲାର ଏହି ପର୍ଯ୍ୟଟକ ସ୍ଥଳୀ, ପାଇକମାଳ ବ୍ଲକର ନୃସିଂହନାଥ ପୀଠକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ପର୍ଯ୍ୟଟକ | ରାଜ୍ୟ ସରକାରଙ୍କ ଅବହେଳା ପଶ୍ଚିମ ଓଡିଶାବାସୀ ଓ ଛତିଶଗଡ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ମନରେ ଅଶାନ୍ତି ସୃଷ୍ଟି କରିଛି |

ଓଡିଶା ସରକାରଙ୍କ ବିଭିନ୍ନ ଅବ୍ୟବସ୍ଥା କାରଣରୁ ଛତିଶଗଡ ସରକାର ଭକ୍ତଙ୍କ ସୁବିଧା ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି ଯାହାକି ଆମ ରାଜ୍ୟ ସରକାରଙ୍କ ପାଇଁ ଲଜ୍ଜାର ବିଷୟ ହୋଇଛି | ଏହି ନୃସିଂହନାଥ ମନ୍ଦିର ବହୁ ପୁରାତନ ହୋଇଥିବା ବେଳେ ମନ୍ଦିରର ଛାତରୁ ପାଣି ଗଳୁଛି । ରାସ୍ତାର ମରାମତି ମଧ୍ୟ କରାଯାଉନଥିବାରୁ ବହୁ ସମୟରେ ପର୍ଯ୍ୟଟକଙ୍କ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି |

ପରିବେଶ ଓ ପ୍ରକୃତିର ସମାହାରସ୍ଥଳୀ ନୃସିଂହନାଥ କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହାର ଇତିହାସ ବହୁ ପ୍ରାଚୀନ ଏବଂ ଏଠାରେ ରହିଛି ଅନେକ ପୁରାତନ କିମ୍ବଦନ୍ତୀ । ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନହେଲେ ଆଗାମୀ ଦିନରେ ଏଠାରେ ଥିବା ଚିରସ୍ରୋତା ଝରଣା ସୁଖିଯିବା ସହିତ ପଶ୍ଚିମ ଓଡିଶା ଓ ଛତତିଶଗଡ଼ର ଗଙ୍ଗା କୁହାଯାଉଥିବା ନୃସିଂହନାଥ ପୀଠ ଦିନେ କେବଳ ଇତିହାସର ପୃଷ୍ଠାରେ ରହିଯିବାର ଆଶଙ୍କା ରହିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details