ବରଗଡ଼: ଆସିନାହିଁ ଗ୍ରୀଷ୍ମଋତୁ ହେଲେ ଲୋକଙ୍କ ପାଇଁ ଏବେ ଠାରୁ ଆରମ୍ଭ ହେଲାଣି ଜଳକଷ୍ଟ । ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ପ୍ରକଳ୍ପ ନିର୍ମାଣ କରିଥିବା ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଆନ୍ତରିକ ଅଭାବ ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅଇଁଲାପାଲି ପଞ୍ଚାୟତର ତିନିଖଣ୍ଡ ଗ୍ରାମର ଲୋକେ ପାଣି ପାଇଁ ହେଉଛନ୍ତି ଡହଳ ବିକଳ ।
ଆସିନାହିଁ ଗ୍ରୀଷ୍ମଋତୁ, ହେଲେ ଏବେଠାରୁ ଦେଖାଦେଲାଣି ଜଳକଷ୍ଟ । ନଳକୂପ ଅଛି, ହେଲେ ବାହାରୁନି ଭଲ ପାଣି । ଷ୍ଟାଣ୍ଡ ପୋଷ୍ଟ ବି ବସିଛି ହେଲେ ୨ ବର୍ଷ ହେବ ଆସୁନି ପାଣି । ଗାଁରେ ପାଇପ ବିଛା ଯାଇଛି, ବଡ ବଡ ଟାଙ୍କି ବସିଛି । ହେଲେ ମେସିନ ଖରାପ ଯୋଗୁଁ କୂଅ ଓ ନଳକୂଅରେ ପାଣି ନେବା ପାଇଁ ମହିଳାଙ୍କ ଚାଲିଛି ପ୍ରତିଯୋଗୀତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅଇଁଲାପାଲି ପଞ୍ଚାୟତର ଧୂବେନପାଲି, ଗୁରୁପାଳି ଏବଂ କଟାପାଳି ଗାଁର । ବାରମ୍ବାର ଅଭିଯୋଗ ହେଲା ପରେ ଫଳ ଶୂନ୍ୟ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି ।