ବରଗଡ଼:ଜିଲ୍ଲାରେ ଆକାଶ ଛୁଆଁ ପରିବା ଦର । ଯେଉଁଥିରେ ହାତ ମାରିଲେ ଦାମ ୧୦୦ ପାର । ୫୦୦ ଟଙ୍କାରେ ବି ଫୁଲ ହେଉନି ବ୍ୟାଗ୍ । ଦୀର୍ଘ ଦିନ ହେଲା ଟମାଟୋ ଦର କିଲୋ ପିଛା 120ରୁ 150 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଅନ୍ୟ ପରିବାର ଦର ମଧ୍ୟ ୧୦୦ ଉପରେ ରହିଛି । ଜିଲ୍ଲା ପ୍ରଶାସନ ଦର ବୃଦ୍ଧି ଉପରେ କଟକଣା ଲଗାଇବାରେ ବିଫଳ ହୋଇଛି । ବିଶେଷ କରି ଟମାଟୋର ଅହେତୁକ ଦର ବୃଦ୍ଧି ପାଇଁ ଗରିବ ଖାଉଟି ଲୋକେ ଟମାଟୋ କିଣିବା ବନ୍ଦ କରିଦେଇଥିବା ବେଳେ ଚାକିରିଆ ଲୋକେ ମଧ୍ୟ ଟମାଟୋ କିଣିବାକୁ ପସନ୍ଦ କରୁନାହାନ୍ତି । ଗୋଟେ କିଲୋ ଜାଗାରେ ଲୋକେ ଅଧାକିଲୋରୁ ୨୫୦ ଗ୍ରାମ କିଣୁଥିବା ଦେଖିବାକୁ ମିଳିଛି ।
ବରଗଡ଼ ଜିଲ୍ଲା ଧାନଚାଷ ଏବଂ ପନିପରିବା ଚାଷ ପାଇଁ ରାଜ୍ୟରେ ପ୍ରସିଦ୍ଧ । ଏଠାରୁ ଅନ୍ୟ ସ୍ଥାନକୁ ପ୍ରତିଦିନ ପନିପରିବା ରପ୍ତାନୀ ହୋଇଥାଏ । ଟମାଟୋ, ବାଇଗଣ, କୋବି, ଭେଣ୍ଡି, ଝୁଡଙ୍ଗ, ପୋଟଳ, ଆଦି ପରିବା ବରଗଡ଼ରେ ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଥିଲେ ମଧ୍ୟ ବର୍ତ୍ତମାନ ଏସବୁ ଆକାଶ ଛୁଆଁ ହୋଇଛି । ବଜାରରୁ ପରିବା କିଣି ଅଧା ଭର୍ତ୍ତି ମୁଣା ନେଇ ଘରକୁ ଫେରୁଛନ୍ତି ଗ୍ରାହକ । ସେପଟେ ପରିବା ବ୍ୟାପାରୀ ମାନେ ମଧ୍ୟ ମାନ୍ଦା ବେପାରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ପ୍ରଥମେ ବର୍ଷା ନହେବାରୁ ପରିବା ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ପ୍ରବଳ ବର୍ଷା କାରଣରୁ ଅନେକ ପନିପରିବା ନଷ୍ଟ ହୋଇପଡିଛି । ଗୋଟିଏ ପଟେ ବଜାରକୁ କମ ମାତ୍ରାରେ ପରିବା ଆସୁଛି । ଅନ୍ୟପଟେ ଖାଉଟିଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ବଜାରରେ ପନିପରିବାର ବ୍ୟାପକ ଚାହିଦା କାରଣରୁ ଦର ଆକାଶ ଛୁଆଁ ହୋଇଛି ।