ବରଗଡ଼: 1857 ମସିହା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ସ୍ମୃତି ଚାରଣ କରୁଛି ବରଗଡ ଜିଲ୍ଲା ଘେଁସ ଗ୍ରାମର ଶହୀଦ ସ୍ମୃତିପୀଠ । ଘେଁସ ଜମିଦାର ମାଧୋ ସିଂ ଓ ତାଙ୍କ ଚାରି ପୁଅ ଦେଶମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ତେବେ ମାଧୋ ସିଂଙ୍କ ପରିବାରର ବୀରତ୍ବର ସ୍ମୃତିରେ 31 ଡିସେମ୍ବରକୁ ବୀରତା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ ଓଡିଶାରେ କ୍ବଚିତ ଲୋକ ଅବଗତ ଥିବେ ଘେଁସ ଜମିଦାର ଓ ତାଙ୍କ ପରିବାରଙ୍କ ବଳିଦାନ ବିଷୟରେ । କାରଣ ଇତିହାସ ପୃଷ୍ଠାରେ ନିଶ୍ଚିହ୍ନ ହୋଇ ଯାଇଛି ଏମାନଙ୍କ ବିରତ୍ବ କାହାଣୀ ।
ମନେ ପଡୁନାହାନ୍ତି ଘେଁସ ଜମିଦାର ମାଧୋ ସିଂ
ଘେଁସ ଜମିଦାରଙ୍କ ବଳିଦାନ କାହଣୀ
ମାତୃଭୂମିକୁ ସ୍ଵାଧୀନତା ଦେବା ପାଇଁ ବରଗଡ ଜିଲ୍ଲା ଘେଁସ ଗ୍ରାମର ଜମିଦାର ମାଧୋ ସିଂ ଓ ତାଙ୍କ ଚାରି ପୁଅ ହଟ୍ଟେ ସିଂ, କୁଞ୍ଜଲ ସିଂ, ଐରୀ ସିଂ ଓ ବୈରୀ ସିଂ ବୀର ସୁରେନ୍ଦ୍ର ସାଏଙ୍କ ଡାକରାରେ 1857 ପ୍ରଥମ ମୁକ୍ତି ସଂଗ୍ରାମରେ ଝାସ ଦେଲେ । ଇଂରେଜ ମାନଙ୍କ ବିରୋଧରେ ଲଢେଇ କରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । 1857ରୁ 1862 ମଧ୍ୟରେ ଇଂରେଜ ମାନଙ୍କ ବିରୋଧରେ ବ୍ୟାପକ ଲଢେଇ ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଇଂରେଜ ମାନେ ହଟ୍ଟେ ସିଂ, ଓ ବୈରୀ ସିଂଙ୍କୁ ଗିରଫ କରିଥିଲେ । ବୈରୀ ସିଂଙ୍କୁ ସମ୍ବଲପୁର ଜେଲରେ ରଖାଯାଇଥିଲା ଓ ସେ ସେଠାରେ ପ୍ରାଣ ତ୍ୟାଗ କଲେ । ହଟ୍ଟେ ସିଂଙ୍କୁ ସୁଦୂର ଆଣ୍ଡାମାନରେ କଳାପାଣି ଦଣ୍ଡ ଦିଆଯାଇଥିଲା ଏବଂ ସେଠାରେ ସେ ହସି ହସି ମୃତ୍ୟୁକୁ ଆଲିଙ୍ଗନ କଲେ । ସେହିପରି କୁଞ୍ଜଲ ସିଂଙ୍କୁ ମଧ୍ୟ ଇଂରେଜ ମାନେ ସମ୍ବଲପୁର ଠାରେ ଫାଶୀ ଦଣ୍ଡ ଦେଇଥିଲେ ।
ଦାୟିତ୍ବ ସାରିଲେ ସରକାର
ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ ପାଞ୍ଚ ଜଣ ଶହୀଦ ହୋଇଥିବା ଘଟଣା ସମଗ୍ର ଇତିହାସରେ ବିରଳ । ତେବେ ଶହୀଦଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର 1997 ମସିହାରେ ଡିସେମ୍ବର 31 ତାରିଖକୁ ରାଜ୍ୟ ସ୍ତରୀୟ ବୀରତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଘେଁସରେ ବୀରତା ଦିବସ ପାଳିତ ହୋଇଥାଏ । ତେବେ ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେ ଧୀରେ ଧୀରେ ଏହି ବୀର ପୁରୁଷ ମାନଙ୍କର ବୀରତ୍ବର ଗାଥା ଜନ ମାନସରୁ ଲିଭିବାକୁ ବସିଛି । ମାଧୋ ସିଂ ଓ ତାଙ୍କ ପରିବାରକୁ ଚିହ୍ନି ନାହାନ୍ତି ଓଡିଶାବାସୀ । ଜାଣି ନାହାନ୍ତି ତାଙ୍କ ବଳିଦାନର କାହାଣୀ । ଓଡିଶା ଇତିହାସ ପୃଷ୍ଠାରେ ନାଁ ନାହିଁ ଏହି ବୀର ପରିବାରର । ତେବେ ବରଗଡର କିଛି ବୁଦ୍ଧିଜୀବୀଙ୍କ ପ୍ରୟାସ କ୍ରମେ ବରଗଡ ସ୍ଥିତ ହଳଦୀପାଲି ଛକ ଠାରେ ଶହୀଦ ବୀର ଘେଁସ ଜମିଦାର ମାଧୋ ସିଂ ଏବଂ ତାଙ୍କର ଚାରି ପୁତ୍ରଙ୍କ ସ୍ମୃତିରେ ଏକ ସହିଦ ସ୍ତମ୍ଭ ସ୍ଥାପନା କରାଯାଇଛି ।
ଅବହେଳିତ ଶହୀଦଙ୍କ ପରିବାର
1997 ମସିହା ଠାରୁ ଏହି ଶହୀଦ ପରିବାରଙ୍କ ଦୟନୀୟ ଅବସ୍ଥା ରାଜ୍ୟ ସରକାରଙ୍କ ନଜରରେ ଆସିଥିଲେ ମଧ୍ୟ ଅବହେଳିତ ହୋଇ ପଡିରହିଥିଲା ଘେଂସ ଜମିଦାରଙ୍କ ବହୁ ପୁରୁଣା ବାସଭବନ । ଯେଉଁ ବୀର ପରିବାରର ବୀର ଗାଥା ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବା କଥା, ଯେଉଁ ବୀର ପୁରୁଷଙ୍କ ସ୍ଥାନକୁ ସରକାର ସଂରକ୍ଷିତ କରି ରଖିବା କଥା ଅବହେଳା କାରଣରୁ ଭାଙ୍ଗିବାକୁ ବସିଥିଲା ସେହି ଐତିହାସିକ ବଙ୍ଗଳା । ହେଲେ ଗତ କିଛି ବର୍ଷ ହେଲା ସଂସ୍କୃତି ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଇଛି । ପୂର୍ବରୁ ଯେପରି ଘେଁସ ଜମିଦାରଙ୍କ ବାସଭବନ ରହିଥିଲା ସେହିପରି ଭାବରେ ପୁଣି ଏହାକୁ ନିର୍ମାଣ କରାଯାଇ ପୁନଃ ଜୀବିତ କରାଯାଉଛି । ମାଁ ମାତୃଭୂମି ପାଇଁ ଜୀବନକୁ ଜଳାଞ୍ଜଳି ଦେବାର ପ୍ରେରଣା ସାଜିଛି ଏବେ ଏହି ସ୍ଥାନ ହେଲେ ଏହି ବୀର ପୁରୁଷ ମାନଙ୍କର ବୀରତ୍ଵ କାହାଣୀ କେବଳ ସୀମିତ ହୋଇ ରହିଛି ଘେଁସ ଗାଁରେ । କୌଣସି ପାଠ୍ୟ ପୁସ୍ତକରେ ଉଲ୍ଲେଖ ନାହଁ ଏମାନଙ୍କ କାହାଣୀ ।
ଜମିଦାର ମାଧୋ ସିଂଙ୍କ ବଳିଦାନକୁ ଓଡିଶାବାସୀ ପାଶୋରୀ ଦେବା ଆଗରୁ ତାକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଏପରି ହୋଇ ପାରିଲେ ଆଗାମୀ ପିଢି଼ ଜାଣି ପାରିବେ ଏହି ବୀର ପୁରୁଷଙ୍କ ବୀରତ୍ବର ଗାଥା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ