ବରଗଡ : ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ । କୁଆପଥର ମାଡ ସହ ପ୍ରବଳ ବର୍ଷା ନଷ୍ଟ ହୋଇଛି ଧାନ ଓ ପରିବା ଚାଷ । ଯାହାକୁ ନେଇ ଭାଙ୍ଗି ପଡିଛି ଚାଷୀ । ବରଗଡ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଫସଲର ଧାନ ବିକ୍ରି ପାଇଁ ସରକାର ବିଳମ୍ବରେ ଧାନ ମଣ୍ଡି ଖୋଲିଥିଲେ । ଟୋକନ ନ ପାଇ କେତେକ ଚାଷୀ ନିଜ ଧାନ ଖଳାରେ ରଖିଥିଲେ । ହେଲେ ଅଦିନିଆ ବର୍ଷା ହେବାରୁ ଧାନ ଭିଜି ନଷ୍ଟ ହୋଇଯାଇଛି । ଏନେଇ ଜିଲ୍ଲାର ଅତାବିରା ,ଆମ୍ବାଭୋନା ,ଭଟଲି, ବରପାଲି ଓ ଭେଡେନ ବ୍ଲକ ଅଞ୍ଚଳର ଚାଷୀ ଭାଙ୍ଗି ପଡିଛନ୍ତି ।
କେବଳ ସେତିକି ନୁହେଁ, ଖୋଲା ଆକାଶ ତଳେ ମଣ୍ଡି ଗୁଡିକରେ ଗଚ୍ଛିତ ହୋଇ ଥିବା କୁଇଣ୍ଟାଲ କୁଇଣ୍ଚାଲ ଧାନ ମଧ୍ୟ ବର୍ଷା ପାଣି ମାଡରେ ଗଜା ହୋଇଯାଇଛି । ପୂର୍ବରୁ ରାଇସ ମିଲରମାନେ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଯାଇଥିଲେ ସୁଦ୍ଧା ଧାନ ଓଦା ଥିବା ଆଳରେ କଟନିଛଟଣି କରି ଚାଷୀଙ୍କୁ ଶୋଷଣ କରୁଥିଲେ । ଜିଲ୍ଲାରେ ଥିବା ଧାନ ମଣ୍ଡି ଗୁଡିକରେ ଧାନ ସଂଗ୍ରହ କରି ସୁରକ୍ଷିତ ରଖିବାକୁ ଭିତ୍ତିଭୂମିର ଅଭାବ ରହିଥିବା ବେଳେ ବାରମ୍ବାର କୃଷକ ସଂଗଠନ ଏହାର ପ୍ରତିବାଦ କରିଛି ।