ବରଗଡ: ଭଟଲି ଛକ ଠାରେ ବାଘଛାଲ ଡିଲ ବେଳେ ଏସଟିଏଫ ହାତରେ ଧରାପଡିଲେ ତିନିଜଣ । ୩ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ । ଏଥିସହ କିଛି ବନ୍ୟପ୍ରାଣୀଙ୍କ ନଖ ଓ ଦାନ୍ତ ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଲେ ବରଗଡ ଭଟଲି ଖଜୁରିପାଲିର ସତ୍ୟବାନ ସାହୁ, ସୌକି ଥେଟୁଆ ଓ ମଇତି ଭୁଇଁ ।
ବରଗଡ଼ ଟାଉନ ଥାନାରେ ସମସ୍ତ 3 ଜଣଙ୍କୁ ପଚରାଉଚରା ଚାଲିଥିବା ବେଳେ ଭଟଲି ବ୍ଲକ ଜଙ୍ଗଲ ଭିତରୁ ଏହି ଛାଲ, ନଖ ସଂଗ୍ରହ କରାଯାଇଥିବା ଅନୁମାନ କରାଯାଉଛି । ସେମାନଙ୍କ ଠାରୁ 11 ଗୋଟି ବାଘ ନଖ , 4 ଗୋଟି ବାଘ ଦାନ୍ତ ଓ ବାଘ ଛାଳ ଜବତ କରାଯାଇଛି । ଜବତ ହୋଇଥିବା ଛାଲ 4 ବର୍ଷ ବୟସ ବାଘର ବୋଲି ଅନୁମାନ କରାଯାଉଛି ଏବଂ ଗୋଟେ ମାସ ତଳେ ଏହାର ଶିକାର କରାଯାଇଥିବା ଜଣାପଡିଛି ।
ବରଗଡ ଜିଲ୍ଲାରେ ପୂର୍ବରୁ ମଧ୍ୟ ମହାବଳ ବାଘର ଶିକାର କରାଯାଇଥିବା ବେଳେ 7 ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ମଧ୍ୟ ଆଜିର ଏହି ଘଟଣାରେ ଗିରଫ ହୋଇଛି । ବରଗଡ ଜିଲ୍ଲାରେ ରହିଥିବା ଜଙ୍ଗଲରେ ବହୁ ବନ୍ୟଜନ୍ତୁଙ୍କ ଶିକାର କରି ସେମାନଙ୍କର ମୂଲ୍ୟବାନ ଛାଲ, ନଖ ଓ ଦାନ୍ତ ସବୁ ବାହାର ଅଞ୍ଚଳକୁ ବିକ୍ରି କରିଦିଆଯାଉଛି ।