ବରଗଡ: ସମବାୟ ସମିତିର ତାଲାବନ୍ଦ ଆନ୍ଦୋଳନ । ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର ସାଇପାଲି ସେବା ସମବାୟ ସୋସାଇଟିକୁ ଚାଷୀମାନେ ଗତ ୧୨ ତାରିଖରେ ତାଲାବନ୍ଦ କରି ଧାରଣାରେ ବସିଥିଲେ । ଲେପ୍ସ ହୋଇଥିବା ୨୫ ଜଣ ଚାଷୀଙ୍କ ଟୋକନରେ ଧାନ ବିକ୍ରୀ, ସାଇପାଲି ମଣ୍ତିରେ ହଜାର ହଜାର ବସ୍ତା ଧାନ ପଡିଥିବାବେଳେ ମିଲର୍ସ ମାନେ ଧାନ ଉଠାଉ ନଥିବା ପ୍ରତିବାଦରେ ତାଲାବନ୍ଦ ଓ ଧାରଣା କାର୍ଯ୍ଯକ୍ରମ ଚାଳିଥିଲା ।
ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ଉପସଭାପତି ଭୋଜରାଜ ସାହୁ, ମଣ୍ତଳ ସଭାପତି ସଜ୍ଜନ ଦଣ୍ତସେନାଙ୍କ ନେତୃତ୍ବରେ ପାଖାପାଖି ଶହେ ଜଣ ଚାଷୀ ଏହି ଆନ୍ଦୋଳନରେ ସାମିଲ ଥିବାବେଳେ ଜିଲ୍ଲାପାଳଙ୍କର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା । ସାଇପାଲି ଠାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଆସି ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରିଥିଲେ । ଖୋଦ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ବିଜେପୁରରୁ ଇସ୍ତଫା ଦେବା ସମୟରେ ଘୋଷଣା କରିଥିଲେ କି ବିଜେପୁର ନିର୍ବାଚନ ମଣ୍ଡଳୀର ସଂପୂର୍ଣ୍ଣ ଦାୟିତ୍ବ ମୋର, ତେବେ ଯେତେବେଳେ ବିଜେପୁର ଅଞ୍ଚଳର ଚାଷୀମାନେ ମଣ୍ତିରେ ଧାନ ବିକ୍ରି କରିପାରୁ ନାହାନ୍ତି, ମିଲର୍ସମାନେ ପ୍ରତି କ୍ବିଣ୍ଟାଲରେ ୧୦ କେଜି କଟନି ଛଟନି ନ କଲେ ମଣ୍ତିରୁ ଧାନ ଉଠାଉ ନଥିବାବେଳେ ବିଜେପୁରର ଦାୟିତ୍ବ ନେଇଥିବା ମାନ୍ଯବର ମୁଖ୍ୟମନ୍ତ୍ରୀ ଏବେ କେଉଁଠି ବୋଲି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।