ଓଡିଶା

odisha

By

Published : Aug 30, 2019, 11:45 PM IST

ETV Bharat / state

ଶିକ୍ଷକଙ୍କ ବଦଳି ନେଇ ଆଦର୍ଶ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ରହିଥିବା ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟରେ ବାରମ୍ବାର ଶିକ୍ଷକ ବଦଳି କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ଼: ମେଧାବି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବାକୁ କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର କରିଛନ୍ତି ଆଦର୍ଶ ବିଦ୍ୟାଳୟ । ନାଁକୁ ମାତ୍ର ଆଦର୍ଶ ବିଦ୍ୟାଳୟ । ହେଲେ ଏଠି ପାଠପଢାରେ ଆଦର୍ଶର ଚିହ୍ନବର୍ଣ୍ଣ ନାହିଁ । ନା ଅଛି ଭିତ୍ତିଭୂମି ନା ଅଛନ୍ତି ଶିକ୍ଷକ । ବିଭିନ୍ନ ସମସ୍ୟାରେ ଅତିବାହିତ କରୁଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ରହିଥିବା ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ରାଜ୍ୟ ସରକାର ନା ଯୋଗାଇ ପାରୁଛନ୍ତି ଶିକ୍ଷକ ନା ଦେଇପାରୁଛନ୍ତି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା । ସେଥିରେ ପୁଣି ଶିକ୍ଷକ-ଶିକ୍ଷୟତ୍ରୀଙ୍କର ଘନଘନ ହେଉଛି ବଦଳି । ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଆରମ୍ଭରୁ ଦୁଇ ବର୍ଷ ଧରି ବିଜ୍ଞାନ ଶିକ୍ଷକ ନଥିବା କାରଣରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଖରାପ ହୋଇଥିବା ବେଳେ ଚଳିତ ଶିକ୍ଷା ବର୍ଷ ପାଇଁ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ହେଲେ ଶିକ୍ଷାବର୍ଷର ଅଧାରୁ ପୁଣି ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମାହଲରେ ଅଶାନ୍ତି ଦେଖାଦେଇଛି ।


ସୂଚନା ଅନୁସାରେ ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟରେ ୨୦୧୯ -୨୦ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଜଣେ ବିଜ୍ଞାନ ଶିକ୍ଷକ ଯୋଗେଇ ଦେଇଥିଲେ । କିନ୍ତୁ ଶୁକ୍ରବାର ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ବାନ୍ଦୁପାଳି ଆଦର୍ଶ ବିଦ୍ୟାଳୟର ସେହି ବିଜ୍ଞାନ ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିବାରୁ ବିଦ୍ୟାଳୟରେ ଆଶାନ୍ତିର ବାତାବରଣ ଖେଳିଯାଇଛି । ତେବେ ସେହି ବିଦ୍ୟାଳୟକୁ ଅନ୍ୟ ଶିକ୍ଷକ ମଧ୍ୟ ଦିଆଯାଇ ନାହିଁ । ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଧା ଶିକ୍ଷା ବର୍ଷରୁ ଏପରି ହଠାତ ଶିକ୍ଷକମାନଙ୍କ ବଦଳି ହେବା ଛାତ୍ରଛାତ୍ରୀ ନିନ୍ଦା କରିଛନ୍ତି ।

ବିଗତ ବର୍ଷ ବିଜ୍ଞାନ ଶିକ୍ଷକ ନଥିବା କାରଣରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଭଲ ହୋଇନଥିବା ବେଳେ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଖେଳ ଖେଲାଯାଇଛି । ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ବର୍ତ୍ତମାନ ଶିକ୍ଷକଙ୍କ ବଦଳିକୁ ନେଇ ବିରୋଧ କରିଛନ୍ତି । ତୁରନ୍ତ ଏହି ବଦଳିକୁ ସରକାର ବାତିଲ ନକଲେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details