ଗଣହତ୍ୟାକାରୀର ଅନ୍ତିମ ସତ୍କାର କରିବାକୁ ମନକରି ଦେଲେ ପରିବାର ଲୋକେ ବରଗଡ: ଚର୍ଚ୍ଚିତ ପୁତୁରା ବଂଶ ନାଶ କରିଥିବା ଅଭିଯୁକ୍ତ ଦାଦା ଶିବ ବାଗର ମୃତଦେହକୁ ନେଲେନି ସମ୍ପର୍କୀୟ । ଶେଷରେ ସାମାଜିକ ସଂଗଠନ ସଂକଳ୍ପ ପରିବାର କଲା ଅନ୍ତିମ ସଂସ୍କାର । ଜେଲ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ବରଗଡର ସାମାଜିକ ସଂଗଠନ ସଂକଳ୍ପ ପରିବାର ଅନ୍ତିମ ସଂସ୍କାର କରିଥିଲା । ନିକଟରେ ପୁତୁରା ପରିବାରର 4 ଜଣଙ୍କୁ ହତ୍ୟା କରି ଜେଲରେ ଥିବା ଅଭିଯୁକ୍ତ ଶିବ ବାଗର ମୃତ୍ୟୁ ହୋଇଥିଲା । ସେ ଜଣେ ହତ୍ୟାକାରୀ ହୋଇଥିବାରୁ ସମ୍ପର୍କୀୟ କିମ୍ବା ଗ୍ରାମବାସୀ ତା ମୃତଦେହ ନେବାକୁ ମନା କରିଥିଲେ ।
ଜମିବାକୁ କେନ୍ଦ୍ରକରି ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା ଝିକିଝିକିରେ । ଯାହାକୁ ନେଇ ଗ୍ରାମବାସୀ ସଂପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲେ । ହତ୍ୟାକାରୀ ଶିବ ବାଗର ମୃତଦେହକୁ ଗ୍ରାମ ଭିତରକୁ ଆଦୌ ପଶେଇ ଦେବୁ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ଶେଷରେ ସଂକଳ୍ପ ପରିବାରର ସଦସ୍ୟମାନେ ମୃତଦେହକୁ ପିପଲମୁଣ୍ଡା ସ୍ଥିତ ମଶାଣି ଠାରେ ସତ୍କାର କରିଥିଲେ ।
ସୂଚନା ଅନୁଯାୟୀ, ଗତ ମେ ମାସ 22 ତାରିଖରେ ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗ୍ରାମରେ ଜମି ବାଡ଼ି ବିବାଦକୁ ନେଇ କକା ଶିବ ବାଗ ପୁତୁରା ସହିତ ତାଙ୍କ ପରିବାରର ଚାରି ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ପୁତୁରାର ନିଷ୍ପାପ ଦୁଇ ନାବାଳକ ପୁଅ ଓ ଝିଅକୁ ବି ନିର୍ମମ ଭାବରେ ଆକ୍ରମଣ କରି ହତ୍ୟା କରିଥିଲା । 23 ତାରିଖରେ ଭଟଲି ପୋଲିସର ତଦନ୍ତ ପରେ ଶିବ ବାଗ , ସ୍ତ୍ରୀ ପାର୍ବତୀ ବାଗ ଓ ପୁଅ ନକୁଳ ବାଗଙ୍କୁ ଗିରଫ କରିଥିଲା ।
ଗତ 24 ତାରିଖରୁ ହତ୍ୟାକାରୀ ଶିବ ବାଗ ଓ ପୁରା ପରିବାର ବରଗଡ ସବ ଜେଲରେ ଥିଲେ । ତେବେ 14 ଦିନ ଧରି ଜେଲ ଭିତରେ ରହିବା ପରେ ଜୁନ 7 ତାରିଖରେ ଜେଲ ଭିତରେ ହତ୍ୟାକାରୀ ଶିବ ବାଗ ହଠାତ୍ ଅସୁସ୍ଥ ହୋଇପଡିଥିଲା । ଜେଲ କର୍ତ୍ତୃପକ୍ଷ ଶିବ ବାଗକୁ ହସ୍ପିଟାଲ ନେବାପରେ ହତ୍ୟାକାରୀ ଶିବ ବାଗର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା । ହତ୍ୟାକାରୀ ଶିବ ବାଗର ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ କରଯାଇଥିଲା ଏବଂ ମୃତଦେହ ନେବାକୁ ଶିବ ବାଗର ସମ୍ପର୍କୀୟ ଲୋକଙ୍କୁ ଖବର ଦିଆଯାଇଥିଲା । ମାତ୍ର ନାଁ ଶିବ ବାଗର କୌଣସି ସମ୍ପର୍କୀୟ ମୃତଦେହ ନେବାକୁ ରାଜି ହୋଇଥିଲେ ନାଁ ଗ୍ରାମବାସୀ । ଶେଷରେ ବରଗଡ ସବଜେଲ ଅଧିକ୍ଷକ ପୁନିରାମ ବାଗ ବରଗଡର ସମାଜସେବୀ ସଂଗଠନ ସଂକଳ୍ପ ପରିବାରକୁ ଅନୁରୋଧ କରିଥିଲେ ମୃତଦେହ ସତ୍କାର କରିବାକୁ । ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ପିପିଳମୁଣ୍ଡା ମଶାଣିରେ ସସମ୍ମାନେ ମୃତଦେହ ସତ୍କାର କରାଯାଇଥିଲା ।
ଇଟିଭି ଭାରତ, ବରଗଡ