ବରଗଡ: ପରିବାରର ପୋଷଣ ପାଇଁ କିଏ ନିଜ ଅଞ୍ଚଳରେ କାମ ଧନ୍ଦା କରିଥାଏ ତ ଆଉ କିଏ ଅନ୍ୟ ରାଜ୍ୟକୁ ଅଧିକ ରୋଜଗାର ଆଶାରେ ଚାଲିଯାଏ କାମ ଅନ୍ବେଷଣରେ । ତେବେ ଓଡିଶାର 7 ଲକ୍ଷରୁ ଅଧିକ ଲୋକ ଓଡିଶା ବାହାରେ ଅନ୍ୟ ରାଜ୍ୟରେ କାମ କରୁଥିବା ସରକାରୀ ଆକଳନରୁ ଜଣାପଡିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଶ୍ରମିକ ଶ୍ରେଣୀର ଲୋକେ ଥିବା ବେଳେ ଓଡିଶାରେ କାମ ଧନ୍ଦା ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହୋଇଛନ୍ତି । ଭଲ ଦୁଇପଇସା ରୋଜଗାର କରି ପରିବାର ପାଇଁ ଅର୍ଥ ସଞ୍ଚୟ କରିଥାଏ ଏବଂ ନିଜର ଭବିଷ୍ୟତ ପାଇଁ କେତେ ଯେ ସ୍ଵପ୍ନ ଦେଖିଥାଏ । ମାତ୍ର କୋରୋନା ମହାମାରୀ ଆଜି ଲକ୍ଷ ଲକ୍ଷ ଦାଦନ ଶ୍ରମିକଙ୍କ ସମସ୍ତ ସ୍ଵପ୍ନ କୁ ଉଜାଡି ଦେଇଛି ନ ବର୍ଷ ତମାମ ବହୁ ପରିଶ୍ରମ କରି ସଞ୍ଚୟ କରି ରଖିଥିବା ଦାଦନ ଶ୍ରମିକର ସବୁତକ ଅର୍ଥ ଆଜି ବୃଥା ହୋଇପଡିଛି ନ ଆଜି ସେହି ଦାଦନ ଶ୍ରମିକ ନିଜ ପରିବାର ନିକଟକୁ ପହଞ୍ଚିବା ପାଇଁ ସବୁତକ ଅର୍ଥ ହରାଇବସିଛି । ଲକଡାଉନ ରେ ବସି ଖାଇ ସବୁତକ ଟଙ୍କା ଖର୍ଚ୍ଚ ହୋଇଯାଇଥିବା ବେଳେ ନିଜ ରାଜ୍ୟକୁ ଫେରିବା ପାଇଁ ମଧ୍ୟ ଶ୍ରମିକ ହାତରେ ପଇସା ନାହିଁ । ଏପରି ପରିସ୍ଥିତିରେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ ମାନେ ।
ମହାମାରୀ କାରଣରୁ ସରକାର ଲକଡାଉନ ଘୋଷଣା କରିଦେଲେ , ନାଁ ମିଲ ଫ୍ୟାକ୍ଟରୀ ଚାଲିଲା ନାଁ ଚାଲିଲା ଗାଡି ମଟର | ଏପରି ପରିସ୍ଥିତିରେ ଯିଏ ଯେଉଁ ସ୍ଥାନରେ ଥିଲେ ସମସ୍ତେ ଫସିରହିଲେ । ଘରେ ବସି ବସି ସଞ୍ଚିତ ଟଙ୍କା ସବୁ ଖର୍ଚ୍ଚ ହୋଇଯାଇଥିଲା । ଲକଡାଉନ ଶେଷ ହେବାର କୌଣସି ସମ୍ଭାବନା ନଥିଲା । ନାଁ ସରକାର ଶ୍ରମିକଙ୍କ ଫେରିବା ର ସୁବିଧା ଶୀଘ୍ର କଲେ ନାଁ ସେଠାରେ ସେମାନଙ୍କର ଖାଇବା ରହିବାର ବ୍ୟବସ୍ଥା କରାଇଲେ । ଫଳରେ ରାଜ୍ୟ ବାହାରେ ଫସିରହିଥିବା ବହୁ ଦାଦନ ଶ୍ରମିକ ବାଧ୍ୟ ହୋଇ ନିଜ ନିଜ ଉଦ୍ୟମରେ ଫେରିବାକୁ ଉଦ୍ୟମ କଲେ । କିଏ ସାଇକେଲ ରେ ନିଜର ବ୍ୟବହାର୍ଜ୍ୟ ସାମଗ୍ରୀ ନେଇ ନିଜ ପରିବାର ନିକଟକୁ ଫେରିଲେ ତ ଆଉ କିଏ ଲୁଚିଛପି ମାଲବୋଝେଇ ଟ୍ରକରେ। ପଇସା ଶେଷ ହୋଇଯାଇଥିବା କିଛି ପରିବାର ଚାଲି ଚାଲି ନିଜ ରାଜ୍ୟକୁ ଫେରିବାକୁ ବସିଲେ । ଏପରି ପରିସ୍ଥିତି ବଢିବାକୁ ଲାଗିବାରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳର ବ୍ୟବସ୍ଥା ସରକାର କରାଇଲେ ସତ ମାତ୍ର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ସରକାରଙ୍କ ରେଳ ସେବା ବ୍ୟବସ୍ଥା ମଧ୍ୟ କମ ପଡିଯାଇଥିଲା । ପଞ୍ଜୀକରଣ ପରେ ସ୍ଵତନ୍ତ୍ର ଟ୍ରେନ କେବେ ବାହାରିବ କେଉଁଠାରୁ ବାହାରିବ ତାହାର ସଠିକ ତଥ୍ୟ ଏବଂ ଯୋଗାଯୋଗ ଅଭାବରୁ ବହୁ ପ୍ରବାସୀ ଟ୍ରେନ ସେବାରୁ ବଞ୍ଚିତ ହୋଇଥିବା ବେଳେ ଧର୍ଯ୍ୟହରା ହୋଇ ନିଜ ଉଦ୍ୟମରେ ବହୁ ପ୍ରବାସୀ ଘରୋଇ ବସ କିମ୍ବା ଟେକସି ସାହାଯ୍ୟରେ ଅଧିକ ଖର୍ଚ୍ଚରେ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ।