ବରଗଡ:20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ଅଧିକାରୀ । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଟର ରାଜସ୍ୱ ଅଧିକାରୀ ଡମ୍ବୁରୁଧର ସେଠ ଗତକାଲି 20,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବରଗଡ ଭିଜିଲାନ୍ସ ଟିମ । ରାଜସ୍ୱ ଅଧିକାରୀ ଡମ୍ବରୁଧର ସେଠ ଲାଞ୍ଚ ପଇସାକୁ ନିଜ ହାତରେ ନ ଧରି ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଆଣିଥିଲେ । ହେଲେ ଭିଜିଲାନ୍ସ ଟିମ ଦ୍ଵାରା ଧରାପଡିବା ପରେ ବ୍ୟକ୍ତି ଜଣକ ପ୍ରକୃତ ବିଷୟ ବଖାଣି ଥିଲେ । ତାଙ୍କୁ ଲାଞ୍ଚ ପଇସା ଆଣିବାକୁ ରାଜସ୍ୱ ଅଧିକାରୀ ନିଜେ ପଠାଇଥିଲେ ବୋଲି । ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ ରାଜସ୍ୱ ଅଧିକାରୀଙ୍କ ପାଇକମାଳ ସ୍ଥିତ ଉଭୟ ବାସଗୃହ ଓ ଅଫିସରେ ଚଢାଉ କରି ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ,ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବର୍ତ୍ତୁଣ୍ଡା ଗାଁର ଫକୀର ଚରଣ ଶବର ନାମକ ଜଣେ ବ୍ୟକ୍ତିଙ୍କ 8 ଏକର 40 ଡ଼ିସିମିଲ ଜମିର ପଟ୍ଟା କରେଇବା ପାଇଁ ରାଜସ୍ୱ ଅଧିକାରୀ ଡମ୍ବରୁଧର ସେଠ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଉକ୍ତ ଲାଞ୍ଚ ଅର୍ଥ ନ ଦେବା ଯାଏ ଅଭିଯୋଗକାରୀଙ୍କୁ ବହୁ ହଇରାଣ କରାଯାଇଥିଲା ଜମିପଟ୍ଟା ପ୍ରଦାନ କରିବାକୁ । ଶେଷରେ ବାଧ୍ୟ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ । ତେବେ ଭିଜିଲାନ୍ସ ବିଭାଗର ଯୋଜନା ମୁତାବକ ଗତକାଲି ସେଠଙ୍କୁ 20 ହଜାର ଟଙ୍କା ଦେବାକୁ ପହଞ୍ଚିଥିଲେ ଅଭିଯୋଗକାରୀ ।