ବରଗଡ଼: ରାଜ୍ୟରେ ପ୍ରସବ ଜନିତ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ନାନା ଯୋଜନା ଆରମ୍ଭ କରିଛନ୍ତି । ଗର୍ଭବତୀ ମହିଳାଙ୍କୁ ଆଶା ଦିଦି ଜରିଆରେ ପୃଷ୍ଟିସାର ଖାଦ୍ୟ ଯୋଗେଇଦେବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସରକାରୀ ସ୍ବାସ୍ଥ୍ୟ ସେବା ଯୋଗେଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ସରକାର । ହେଲେ ସରକାରୀ ଡାକ୍ତରଖାନା ମାନଙ୍କରେ ନିଯୁକ୍ତି ପାଇଥିବା ନର୍ସ ଖୋଦ ମାନୁ ନାହାଁନ୍ତି ସରକାରଙ୍କ ନିଷ୍ପତି । ଏଭଳି ମନୋଭାବ ଯୋଗୁଁ ବିପଦର ସମ୍ମୁଖୀନ ହେଉଛନ୍ତି ପ୍ରସୂତି । ପଦ୍ମପୁର ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଘଟଣା ।
ପଦ୍ମପୁର ଉପଖଣ୍ଡ ବୋଡ଼ାସମ୍ବର ଚିକିତ୍ସାଳୟକୁ ଟେମରି ଗ୍ରାମର ପ୍ରସୂତିଙ୍କୁ ନେଇ ଆଶାକର୍ମୀ ପହଞ୍ଚିଥିଲେ । ମହିଳାଙ୍କ ପ୍ରସବ ଯନ୍ତ୍ରଣା ବଢ଼ି ଚାଲିଥିବାବେଳେ ଡାକ୍ତରଖାନାରେ ଦାୟିତ୍ବରେ ଥିବା ନର୍ସ ଜୟନ୍ତୀ ପଣ୍ଡା ପ୍ରସୂତିଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେଇଥିଲେ । ନର୍ସ ଜଣକ ଥକିଯାଇଥିବାରୁ ସେ ଯାଇପାରିବେ ନାହିଁ ବୋଲି ଚିତ୍କାର କରିଥିଲେ । ଆଶାକର୍ମୀ ଦେବକୀ ବାରିକ ଓ ପ୍ରସୂତିଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ ।