ଓଡିଶା

odisha

ETV Bharat / state

ଭୋଟଗ୍ରହଣ କର୍ମଚାରୀଙ୍କ ପାଇଁ ମିଳୁ ନାହିଁ ଉପଯୁକ୍ତ ସୁବିଧା

ରାତି ପାହିଲେ ଭୋଟ ଗ୍ରହଣ ଥିବାବେଳେ ସମସ୍ତଙ୍କୁ ବୁଧବାର ସୁଦ୍ଧା ବୁଥ ସ୍ଥଳକୁ ପହଞ୍ଚିବାକୁ ପଡିବ ଏବଂ ପୁଣି ଭୋର ୪ ଟାରୁ କାମରେ ଲାଗିବାକୁ ପଡିବ। ତେବେ ପ୍ରବଳ ଗରମରେ ବିଶ୍ରାମ ପାଇଁ ସମୟ ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି ।

By

Published : Apr 17, 2019, 10:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ: ଜିଲ୍ଲାରେ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବାକୁ ଥିବାବେଳେ ନିର୍ବାଚନ କର୍ମଚାରୀ ତଥା ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନେ ଭୋଟ କେନ୍ଦ୍ର ଅଭିମୁଖେ ବାହାରିଯାଇଛନ୍ତି । ବରଗଡ ପଞ୍ଚାୟତ କଲେଜ ଏବଂ ପଦ୍ମପୁର ଆରଏମସି ଗୋଦାମରେ ଇଲେକ୍ସନ ଡିଉଟି ପଡିଥିବା ସମସ୍ତ କର୍ମଚାରୀଙ୍କ ରିପୋଟିଙ୍ଗ କରାଯାଇଥିଲା । ସେଠାରେ ସୁରକ୍ଷିତ ରହିଥିବା ଇଭିଏମ ଓ ଭିଭିପାଟ ଆଦି ଆବଶ୍ୟକୀୟ ନିର୍ବାଚନୀ ସାମଗ୍ରୀ ହଜାର ହଜାର କର୍ମଚାରୀଙ୍କୁ ଦିଆଯାଇଥିଲା। ଏହାପରେ କର୍ମଚାରୀଙ୍କୁ ନିଜ ନିଜ ଭୋଟ କେନ୍ଦ୍ର ଗୁଡିକୁ ଯିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
ବରଗଡ ଜିଲ୍ଲାର 5ଟି ବିଧାନସଭାରେ ଗୁରୁବାର ନିର୍ବାଚନ ହେବାକୁ ଥିବାବେଳେ ଜିଲ୍ଲାର 1378 ଗୋଟି ପୋଲିଂ ବୁଥକୁ ନିର୍ବାଚନୀ ସାମଗ୍ରୀ ସହିତ କର୍ମଚାରୀଙ୍କୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ ପଞ୍ଚାୟତ କଲେଜ ଠାରେ ନିର୍ବାଚନ ଡିଉଟି ପଡିଥିବା ସମସ୍ତ କର୍ମଚାରୀଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଛି । କର୍ମଚାରୀଙ୍କ ପାଇଁ ବୁଥକୁ ଯିବା ପାଇଁ ଛୋଟ ବଡ ଯାନର ସୁବିଧା କରାଯାଇଛି, ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ସଠିକ ପରିଚାଳନାର ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ମଚାରୀମାନେ।

ରାତି ପାହିଲେ ଭୋଟ ଗ୍ରହଣ ଥିବା ବେଳେ ସମସ୍ତଙ୍କୁ ବୁଧବାର ସୁଦ୍ଧା ବୁଥ ସ୍ଥଳକୁ ପହଞ୍ଚିବାକୁ ପଡିବ ଏବଂ ପୁଣି ଭୋର ୪ ଟାରୁ କାମରେ ଲାଗିବାକୁ ପଡିବ। ତେବେ ପ୍ରବଳ ଗରମରେ ବିଶ୍ରାମ ପାଇଁ ସମୟ ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି । କର୍ମଚାରୀମାନେ ଅଲଗା ଅଲଗା ଜାଗାରେ ଲମ୍ବା ଲାଇନରେ ରହି ନିର୍ବାଚନୀ ସାମଗ୍ରୀ ସଂଗ୍ରହ କରିବାକୁ ୩ ରୁ ୪ ଘଣ୍ଟା ଲାଗିଯାଉଥିବାରୁ ସମସ୍ତଙ୍କୁ ବହୁ ହଇରାଣ ହେବାକୁ ପଡୁଛି। ବିଶେଷ କରି ମହିଳା କର୍ମଚାରୀମାନେ ଅଧିକ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଜିଲ୍ଲାର ୧୪୦୦ ମହିଳା କର୍ମଚାରୀଙ୍କୁ ନିର୍ବାଚନରେ ସାମିଲ କରାଯାଇଥିବାବେଳେ ସେମାନଙ୍କ ପାଇଁ ସଠିକ ସୁବିଧା କରାଯାଇନଥିବା କହିଛନ୍ତି ମହିଳା କର୍ମଚାରୀ। ବିଭିନ୍ନ ସ୍କୁଲରେ ମହିଳା ଓ ପୁରୁଷଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଥିବା ସ୍ଥାନରେ ଆବଶ୍ୟକ ପରିମାଣର ଶୌଚାଳୟ ଓ ଗାଧୁଆ ଘର ସୁବିଧା ନାହିଁ। ସେପଟେ ଅନେକ ବୁଥରେ ପଙ୍ଖା ଓ ଲାଇଟର ସୁବିଧା ନଥିବା ମଧ୍ୟ ଅଭିଯୋଗ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details