ଓଡିଶା

odisha

ETV Bharat / state

ବାହାଘର କରାଇଲା ପୋଲିସ, ଗିଫ୍ଟରେ ଦେଲା ମାସ୍କ ଓ ସାନିଟାଇଜର

ନା ବାଜିଥିଲା ବାଜା ନା ଥିଲେ ବାରାତି । ନଥିଲେ ପୁରୋହିତ ନଥିଲା ଭୋଜିଭାତର ଆସର । କେବଳ ବର ଓ କନ୍ୟା ସହିତ ଟାଉନ ପୋଲିସ ଉପସ୍ଥିତିରେ ଲକଡାଉନ ମଧ୍ୟରେ ସମ୍ପନ୍ନ ହୋଇଛି ପ୍ରେମୀ ଯୁଗଳଙ୍କ ବିବାହ । ଅଧିକ ପଢ଼ନ୍ତୁ...

ବାହାଘର କରାଇଲା ପୋଲିସ, ଗିଫ୍ଟରେ ଦେଲା ମାସ୍କ ଓ ସାନିଟାଇଜର
ବାହାଘର କରାଇଲା ପୋଲିସ, ଗିଫ୍ଟରେ ଦେଲା ମାସ୍କ ଓ ସାନିଟାଇଜର

By

Published : Apr 3, 2020, 12:00 AM IST

ବରଗଡ: ମାଡି ଆସୁଛି ମହାମାରୀ କୋରୋନା । ନେଇଯାଉଛି ହଜାର ହଜାର ଜୀବନ । ଚୀନଠାରୁ ଆରମ୍ଭ ହୋଇଥିବା କୋରୋନା ଏବେ ବିଶ୍ଵ ବ୍ୟାପୀ ଖେଳିଗଲାଣି । ଭାରତରେ ମଧ୍ୟ ଏହା ନିଜ କାୟା ବିସ୍ତାର କରିସାରିଲାଣି । ଆତଙ୍କିତ ହୋଇପଡିଛନ୍ତି ଲୋକେ । ଏହି ମହାମାରୀ କେତେବେଳେ କେଉଁ ରୂପ ନେବ ତାହା କାହାକୁ ମଧ୍ୟ ଜଣା ନାହିଁ । ପୋକମାଛି ପରି ଗଡିଯାଉଛି ମଣିଷ ମୁଣ୍ଡ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ବାହାଘର କରାଇଲା ପୋଲିସ, ଗିଫ୍ଟରେ ଦେଲା ମାସ୍କ ଓ ସାନିଟାଇଜର

ଏପରି ପରିସ୍ଥିତିରେ କିଏ ନିଜ ପରିବାର ସହିତ ସମୟ ବିତାଇବାକୁ ଇଚ୍ଛୁକ ତ ଆଉ କିଏ ନିଜ ପରିଜନଙ୍କ ସହ । ସତେ ଯେପରି ଜୀବନର ଶେଷ ମୂହୁର୍ତ୍ତର ଚିନ୍ତା ଘାରିଦେଇଛି ମଣିଷକୁ । ଆଉ ଏହାର ପ୍ରତିଫଳନ ଦେଖାଦେଇଛି ବରଗଡର ଏକ ପ୍ରେମୀ ଯୁଗଳଙ୍କଠାରେ । ଭବିଷ୍ୟତ କଣ ହେବ କିଏ ଜାଣେ । ସେଥିପାଇଁ ଏମାନେ ନିଜର ପ୍ରେମକୁ ସଫଳ କରିବାକୁ ଯାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ଜିଲ୍ଲା ପ୍ରଶାସନଠାରେ ନିଜର ଭାବପ୍ରବଣତାକୁ ପ୍ରକାଶ କରିଥିଲେ । ଆଉ ମହାନତା ଦେଖାଇ ପୋଲିସ ଏମାନଙ୍କୁ ସାହାଯ୍ୟ କରି ତାଙ୍କ ପ୍ରେମକୁ ସଫଳ ରୂପାୟନ ଦେଇଛି ।

ଏହା ହେଉଛି ବରଗଡ ସହରର ୧୭ ନମ୍ବର ୱାର୍ଡ ନଦୀପଡାର ପବିତ୍ର ସାହୁ ଓ ଅମ୍ବାପାଲିର ଲକ୍ଷ୍ମୀ ମେହେରଙ୍କ କାହାଣୀ । ଉଭୟ ପ୍ରାପ୍ତ ବୟସର ହୋଇଥିବାବେଳେ ସେମାନଙ୍କ ଇଚ୍ଛାନୁଯାୟୀ ବରଗଡ ପୋଲିସ ଷ୍ଟେସନ ଠାରେ ବିବାହ ସମ୍ପନ୍ନ ହୋଇଯାଇଛି । ନା ବାଜିଥିଲା ବାଜା ନା ଥିଲେ ବାରାତି । ନଥିଲେ ପୁରୋହିତ ନଥିଲା ଭୋଜିଭାତର ଆସର । କେବଳ ବର ଓ କନ୍ୟା ସହିତ ଟାଉନ ପୋଲିସ ଉପସ୍ଥିତିରେ ଲକଡାଉନ ମଧ୍ୟରେ ସମ୍ପନ୍ନ ହୋଇଛି ପ୍ରେମୀ ଯୁଗଳଙ୍କ ବିବାହ ।

ପୋଲିସ ବିଭାଗ ପକ୍ଷରୁ ଉଭୟ ଦମ୍ପତ୍ତିଙ୍କୁ ମାକ୍ସ, ସାନିଟାଇଜର ଏବଂ ବିସ୍କୁଟ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା । ପ୍ରେମୀ ଯୁଗଳଙ୍କ ବିବାହ ପରେ ତାଙ୍କ ମନରେ ଖୁସିର ଲହରୀ ଛାଇଯାଇଥିଲା । ସତେ ଯେପରି ତାଙ୍କ ଜୀବନର ସବୁ ଇଚ୍ଛା ପୂରଣ ହୋଇଯାଇଛି । କୋରୋନାର ଭୟାବହତାକୁ ବୁଝି ସାରିଥିବା ଉଭୟ ପ୍ରେମୀ ଯୁଗଳ ଲକଡାଉନ ସମୟରେ ଅବୁଝା ଓ ଅମାନିଆ ଲୋକଙ୍କ ପାଇଁ ଏକ ସଚେତନତାର ଉଦାହରଣ ପାଲଟିଛନ୍ତି । ପ୍ରକୃତରେ କୋରୋନା କେତେ ଯେ ଭୟାବହ ତାହା ଏହି ପ୍ରେମୀ ଯୁଗଳ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details