ବରଗଡ: ବିଜେପୁର ଉପନିର୍ବାଚନକୁ ନେଇ ଓଡିଶା ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ସିଆରପିଏଫର ଉଚ୍ଚସ୍ତରୀୟ ବୈଠକ ବୁଧବାର ବରଗଡ ଏସପି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ଏହି ବୈଠକରେ ଆଲୋଚନା କରାଯାଇଛି ।
ନିର୍ବାଚନ ସମୟରେ ବ୍ୟାପକ ପୋଲିସ ମୁତୟନ ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅଭ୍ୟାସ ଗତ ଅପରାଧୀଙ୍କ ଉପରେ ଲଗାମ ଲଗାଯିବ । ଯେପରି ନିର୍ବାଚନୀ ହିଂସା ନହୁଏ ସେ ଦିଗରେ ଗୁରୁତ୍ଵ ଦିଆଯିବ । ବରଗଡ଼ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ସମୟରେ ଅଧିକ ସତର୍କତା ଅବଲମ୍ବନ କରାଯିବ ବୋଲି କହିଛନ୍ତି ଡିଜି ବିକେ ଶର୍ମା ।
ପୋଲିସ ଡିଜିଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ତେବେ ଏହି ଉଚ୍ଚସ୍ତରୀୟ ବୈଠକରେ ଓଡିଶା ପୋଲିସ ଡିଜି ବିକେ ଶର୍ମାଙ୍କ ସହ ସମ୍ବଲପୁର ଡ଼ିଆଇଜି, ଲ ଆଣ୍ଡ ଅର୍ଡର ଏଡିଜି, ଏଡିଜି ଇଣ୍ଟେଲିଜେନ୍ସ, ଆଇଜି ସ୍ପେସିଆଲ ବ୍ରାଞ୍ଚ, ଆଇଜି ସିଆରପିଏଫ, ଆଇଜି ବିଏସଏଫଙ୍କ ସମେତ ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡା, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଏଥିରେ ସାମିଲ ହୋଇଥିଲେ । ବିଜେପୁର ଉପନିର୍ବାଚନରେ ବ୍ୟାପକ ପୋଲିସ ମୁତୟନ ପାଇଁ ଆଲୋଚନା କରିଥିଲେ ପୋଲିସ ଡିଜି ।
ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ମାଦକ ଦ୍ରବ୍ୟ, ବେଆଇନ ମାରଣାସ୍ତ୍ର ବ୍ୟବହାରକୁ ପୋଲିସ କଡା ନଜର ରଖିବା ସହ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି । ଏବେ ବରଗଡ଼ ବଲାଙ୍ଗୀର ମହାସମୁନ୍ଦ ଅଞ୍ଚଳରେ ୨୪ ଜଣ ମାଓବାଦୀଙ୍କ ଚଳପ୍ରଚଳ ଓ ଉପସ୍ଥିତି ଜଣାପଡିବା ପରେ ପୋଲିସ ତରଫରୁ ବ୍ୟାପକ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି । ଦେଢ଼ ବର୍ଷ ପୂର୍ବରୁ ବିଜେପୁର ଉପନିର୍ବାଚନ ହୋଇଥିବା ଓ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ଏପରି ପୋଲିସ ପ୍ରଶାସନର ବ୍ୟାପକ ତତ୍ପରତା ଦେଖିବାକୁ ମିଳିନଥିଲା ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ