ଓଡିଶା

odisha

ବିଜେପୁର ତରଣୀସେନ ମହଲା ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

BRC ତରଣୀସେନ ମହଲାଙ୍କୁ ହତ୍ୟା ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ବିଜେପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ବାଉଁଶପୋଲା ଡମ୍ପିଂୟାର୍ଡରୁ ମୃତଦେହ ମିଳିବା ପରେ ହତ୍ୟା ଅପରାଧିଙ୍କୁ କାବୁ କରିଥିଲା ପୋଲିସ ।

By

Published : Oct 16, 2019, 8:09 AM IST

Published : Oct 16, 2019, 8:09 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

ବରଗଡ଼: ପ୍ରଥମେ ପାଇଖାନା ବିଲ ପାସକୁ ନେଇ ଝଗଡା । ଆଉ ପରେ ଅପରହରଣ ଓ ହତ୍ୟା । ଜିଲ୍ଲାରେ ଗୋଷ୍ଠୀ ସାଧନ ସଂଯୋଜକ(BRC) ତରଣୀସେନ ମହଲାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାର୍ଶ ହୋଇଛି।


ବିଜେପୁର ଏନଏସି ଅଧିନସ୍ଥ ବାଉଁଶପୋଲା ଡମ୍ପିଂୟାର୍ଡରୁ ତରଣୀସେନ ମହଲାଙ୍କ ମୃତଦେହ ମିଳିଛି। ମୃତ ଶରୀର ପରିତ୍ୟକ୍ତ ଅବସ୍ଥାରେ ମିଳିବା ପରେ, ପୋଲିସ ୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

BRC ତରଣୀସେନ ମହଲା ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା ଅଧିନରେ ନିର୍ମିତ ହେଉଥିବା ପାଇଖାନା ନିର୍ମାଣର ବିଲ ପାସ କରନ୍ତି । ତେବେ ନିର୍ମାଣ କରାଯାଇଥିବା ପାଇଖାନାର ବିଲ ପାସକୁ କେନ୍ଦ୍ରକରି ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମର ହରିବନ୍ଧୁ ମେହେର ଓ ଫକୀର ମେହେର ତରଣୀଙ୍କ ସହ ଝଗଡା କରିଥିଲେ |

ଏହା ପରେ ଗତ ୧୨ ତାରିଖରୁ ତରଣୀସେନ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ଲୋକେ ଗାଇସିଲେଟ ଥାନାରେ ଅଭିଯୋଗ କରିଥିଲେ | ଏହି ଝଗଡାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପାଖରେ ହତ୍ୟାକାରୀ ସ୍ବୀକାର କରିଥିବା ପୋଲିସ ସ୍ପଷ୍ଟ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ଗତ ୧୨ ତାରିଖ ବିଜେପୁରର ଏକ ଭଡ଼ାଘରେ ତରଣୀସେନଙ୍କୁ ଅଭିଯୁକ୍ତ ରିକୁ ଏବଂ ରମା ହତ୍ୟା କରିଥିଲେ । ପରେ ଅନ୍ୟ ଅଭିଯୁକ୍ତ ସହଯୋଗୀ ଫକୀରଙ୍କ ମିଶି ମୃତଦେହ ଡମ୍ପିଂୟାର୍ଡରେ ଫିଙ୍ଗି ଦେଇଥିଲେ। ବିଜେପୁର ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ବିଜେପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ହାତୁଡ଼ି, ପୋଡି ଯାଇଥିବା ଲାପଟପ୍‌ ଏବଂ ମୃତଶରୀର ନେବାରେ ବ୍ୟବହୃତ ହୋଇଥିବା ଏକ ହୋଣ୍ଡା ଆକ୍ଟିଭାକୁ ପୋଲିସ ଜବତ କରିଛି।

ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ନିଜ ଗାଁ ଗଇସିଲେଟ ଥାନା ଅନ୍ତର୍ଗତ ନୂଆପାଳିରେ ପହଞ୍ଚିବା ପରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରାସ୍ତାରେ ମରଶରୀର ରଖି ଆନ୍ଦୋଳନ ଆରମ୍ଭ କରିଦେଇଥିଲେ।

ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳୁ ଦାବିକରି ନୂଆପାଳି ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ରାସ୍ତାରେ ଟାୟାର ଜାଳିବା ସହ ସମସ୍ତ ଯାନବାହାନ ଯିବା ଆସିବାକୁ ବନ୍ଦ କରିଦେଇଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details