ବରଗଡ:ରାସ୍ତା ମଝିରେ ବିରାଟ ବିରାଟ ଖାଲ । ଗାଡି ଗଡିଲେ ଦୁଇ ପଟକୁ ଢଳି ପଡୁଛି । ଆଉ ଅସରାଏ ବର୍ଷାରେ ସୃଷ୍ଟି ହେଉଛି କୃତ୍ରିମ ପୋଖରୀ । ରାସ୍ତାର ଏପରି ଅବସ୍ଥା ପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ବରପାଲି ସହର ରେଲୱେ ଫ୍ଲାଏ ଓଭର ବ୍ରିଜ ବାଏପାସ ରାସ୍ତାର । ଅନେକ ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ ।
ବଡ ବଡ ଖାଲ ଢ଼ିପ ସହ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ସୋନପୁର ,ବୌଦ୍ଧ ଭୁବନେଶ୍ବର ଓ ଜଗନ୍ନାଥ ଧାମକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତାର ଅବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମଧ୍ୟ ସମସ୍ତେ ଜାଣିଶୁଣି ଚୁପ ହୋଇ ହାତ ବାନ୍ଧି ବସିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।