ଓଡିଶା

odisha

ETV Bharat / state

ଆମ୍ବୁଲାନ୍ସରେ ନଥିଲା ଅକ୍ସିଜେନ, ଅଣନିଶ୍ବାସୀ ହୋଇ ବୃଦ୍ଧ ମୃତ ! - ambulance

ଆମ୍ବୁଲାନ୍ସର ଖାଲି ଅକ୍ସିଜେନ ସିଲିଣ୍ଡର ନେଇଗଲା ଆହତ ବୃଦ୍ଧଙ୍କ ଜୀବନ । ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବୟସ୍କଙ୍କ ମୃତ୍ୟୁ ପରେ ଏଭଳି ଅଭିଯୋଗ ବାଢ଼ିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : May 22, 2019, 10:11 PM IST

ବରଗଡ଼: ଭଟଲି ରାସ୍ତାସ୍ଥିତ ବରଡୋଲ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହେବାପରେ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବୃଦ୍ଧଙ୍କ ଜୀବନ ଯାଇଥିବା ଅଭିଯୋଗ ଉଠିଛି । ଯାହାକୁ ନେଇ ରାସ୍ତାରୋକୋ କରିଥିଲେ ଲୋକେ ।

ସୂଚନାଯୋଗ୍ୟ, ଟ୍ରକଟି ଭଟଲି ପଟୁ ବରଗଡ ଆଡ଼କୁ ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ବସିଥିଲା । ରାସ୍ତାରେ ଯାଉଥିବା ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇ ବରଡୋଲ କେନାଲ ବ୍ରିଜ ଉପରେ ଓଲଟି ପଡିଥିଲା । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବୃଦ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଆମ୍ବୁଲାନ୍ସ ଆସିବା ଯାଏଁ ତାଙ୍କର ନିଶ୍ବାସ ଚାଲିଥିଲା । ତେବେ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ସିଲିଣ୍ଡର ଖାଲି ଥିବାରୁ ମାସ୍କ ଲାଗିବା ପରେ ସେ ଅଣନିଶ୍ବାସୀ ହୋଇ ପ୍ରାଣ ହାରିଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଉତ୍ୟକ୍ତ ଲୋକେ ବରଗଡ-ଭଟଲି ରାସ୍ତା ବନ୍ଦ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ବହୁ ଜୀବନ ହାନି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା, ଘଟଣାସ୍ଥଳରେ ରାସ୍ତାରେ ହମ୍ପ୍ସ ନିର୍ମାଣ ଓ ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କୁ ଚାକିରୀରୁ ବହିଷ୍କାର କରାଯିବା ନେଇ ଲୋକେ ଦାବି କରିଥିଲେ । ଶେଷରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ସମସ୍ତ ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ତେବେ ଦୁର୍ଘଟଣା ଯୋଗୁଁ ବୃଦ୍ଧଙ୍କ ପ୍ରାଣବାୟୁ ଚାଲିଗଲା ନାଁ ଆମ୍ବୁଲାନ୍ସରେ ରହିଥିବା ଫାର୍ମାସିଷ୍ଟଙ୍କ ଅବହେଳାରୁ ତାହା ସନ୍ଦେହ ଘେରରେ ରହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details