ବରଗଡ଼: ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ନେଇ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ଆଉ ବଦଳିବେ ନାହିଁ ଚଳିତ ବର୍ଷର କଂସ ମହାରାଜ । ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ କରାଯିବାର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ପୂର୍ବରୁ ଧନୁଯାତ୍ରା କୋର କମିଟିର ବୈଠକିରେ ନିଆଯାଇଥିବା ନିଷ୍ପତ୍ତିରେ ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ କରାଯିବା ନେଇ ଘୋଷଣା ହୋଇଥିଲା । ତେବେ କଳାକାରଙ୍କ ପ୍ରବଳ ବିରୋଧ ପରେ ଗୁରୁବାର କୋର କମିଟିର ପୁଣି ବୈଠକ ବସିଥିଲା ଏବଂ ଏହି ବୈଠକରେ ନୂତନ କଳାକାର ଚୟନ ପ୍ରକ୍ରିୟାକୁ ବାତିଲ କରାଯାଇ ପୂର୍ବବର୍ଷ ଯେଉଁ କଳାକାର ମାନେ ଅଭିନୟ କରିଥିଲେ ସମାନେ ହିଁ ଚଳିତ ଧନୁଯାତ୍ରାରେ ଅଭିନୟ କରିବେ ବୋଲି କମିଟି ନିଷ୍ପତ୍ତି ନେଇଛି ।
ଛିଣ୍ଡିଲା ଧନୁଯାତ୍ରା ବିବାଦ, ଭୁବନେଶ୍ବର ପ୍ରଧାନ ହେବେ କଂସ - ବରଗଡ଼ ଧନୁଯାତ୍ରା
ବଦଳିବେନି ଧନୁଯାତ୍ରାରେ କୌଣସି କଳାକାର । ବୈଠକରେ ନିଷ୍ପତ୍ତି ନେଲା ଧନୁଯାତ୍ରା କୋର କମିଟି । ଅଧିକ ପଢ଼ନ୍ତୁ...
ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ଭୂମିକାରେ ପୁଣିଥରେ ଭୁବନେଶ୍ବର ପ୍ରଧାନଙ୍କୁ ଦେଖିବେ ଦର୍ଶକ । ଗତ ଦୁଇ ବର୍ଷ ଧରି କଂସ ଭୂମିକାରେ ଭୁବନେଶ୍ବର ପ୍ରଧାନ ଅଭିନୟ କରିଆସୁଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ କରାଯିବ ବୋଲି କୋର କମିଟିର ନିଷ୍ପତ୍ତି ପରେ ବହୁ କଳାକାର ଏହାକୁ ବିରୋଧ କରିଥିଲେ ଏବଂ କୋର କମିଟିକୁ ବାଧ୍ୟ ହୋଇ ଏହି ନିଷ୍ପତ୍ତିର ପୁନଃ ବିଚାର କରିବାକୁ ପଡିଥିଲା । ତେବେ ଧନୁଯାତ୍ରା କୋର କମିଟିର ଏହି ବୈଠକ ପରେ ସମସ୍ତ ବିବାଦର ଅନ୍ତ ହୋଇଛି ଏବଂ ଆସନ୍ତା ଡିସେମ୍ବର 1 ତାରିଖରେ ଧନୁଯାତ୍ରାର ଶୁଭ ସ୍ତମ୍ଭ ସ୍ଥାପନ କରା ଯିବାର ନିଷ୍ପତ୍ତି ନିଆଯାଇଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ