ବରଗଡ:ଗତକାଲି ଜାତୀୟ କର୍କଟ ବିଜେତା ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ ବରଗଡ଼ର ଫାଇଟର୍ସ ଗ୍ରୁପ୍ ନିଆରା ଭାବେ ପାଳନ କରିଛି । କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ସହିତ ସଂଘର୍ଷ କରି ଜୀବନ ଯୁଦ୍ଧରେ ବଞ୍ଚିଯାଇଥିବା କ୍ୟାନ୍ସର ରୋଗୀଙ୍କ ଉତ୍ସାହ ବୃଦ୍ଧି କରିବାକୁ ଏହି ଦିବସ ପାଳନ କରାଯାଇଥାଏ । ଓଡ଼ିଶାର ବରଗଡ ଜିଲ୍ଲାରେ ସର୍ବାଧିକ କ୍ୟାନ୍ସର ରୋଗୀ ଚିହ୍ନଟ କରାଯାଇ ଥିବା ବେଳେ ଏହି ରୋଗରୁ ବର୍ତ୍ତି ଯାଇଥିବା ରୋଗୀଙ୍କୁ ନେଇ 'ଫାଇଟର୍ସ ଗ୍ରୁପ' ନାମକ ସଂଗଠନ କରାଯାଇଥିଲା । ଏହି ଫାଇଟର୍ସ ଗ୍ରୁପ୍ ପ୍ରୟାସରେ ବରଗଡ ବିଜୁ ପଟ୍ଟନାୟକର ଟାଉନ ହଲ୍ରେ କ୍ୟାନ୍ସରକୁ ନେଇ ନିଆରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତେବେ ଦୁଇ ଗୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢ଼େଇ, ସମ୍ବଲପୁରୀ ବସ୍ତ୍ରାଳୟ ଚେୟାରମ୍ୟାନ ସମ୍ବିତ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଫାଇଟର୍ସ ଗ୍ରୁପର ସଦସ୍ୟ ରାଜଗୋପାଳ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବିତ ଆଚାର୍ଯ୍ୟ କହିଛନ୍ତି ଯେ, 45 ବର୍ଷ ପୂର୍ବେ ତାଙ୍କ ପରିବାରରେ ମଧ୍ୟ କ୍ୟାନ୍ସର ରୋଗରେ ଜଣେ ପୀଡିତ ଥିଲେ । 12 ବର୍ଷ ଧରି ପୁରା ପରିବାର କଷ୍ଟ ଭୋଗ କରିଥିଲେ । ତେବେ ସେତେବେଳେ କ୍ୟାନ୍ସର ରୋଗର ଚିହ୍ନଟ ଏବଂ ବର୍ତ୍ତମାନ ପରି ଚିକିତ୍ସା ଉପଲବ୍ଧ ନ ଥିଲା ମାତ୍ର ବର୍ତ୍ତମାନ ସବୁ ପ୍ରକାରର ସୁବିଧା ଥାଇ ମଧ୍ୟ ସମାଜରେ ଲୋକଙ୍କ ଅବହେଳା ଯୋଗୁଁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ୟାନ୍ସର ପ୍ରତି ସଚେତନତା ଅବଲମ୍ବନ କରିବା ପ୍ରାଥମିକ ଦାୟିତ୍ଵ ବୋଲି ମତବ୍ୟକ୍ତ କରିଥିଲେ ।