ବରଗଡ: ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କୁ ସୋମବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଯବାନମାନଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ବରଗଡ ବଣିକ ସଂଘ ଦ୍ବାରା ବନ୍ଦ ଡାକରା ଦିଆଯାଇଥିଲା । ଏହାସହ ଶହୀଦଙ୍କୁ ବରଗଡ ସିମେଣ୍ଟ ନଗର ଠାରେ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଓ ପରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
ଜଣାଯାଇଛି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଦିନିକିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ବରଗଡ ସହର ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ଦୋକାନ ବଜାର ସହିତ ଘରୋଇ ବସ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଥିଲା | ବରଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ଲୋକେ ସ୍ବତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ ରଖିଥିବା ଦେଖାଯାଇଥିଲା ।