ବରଗଡ: ବସନ୍ତ ଋତୁ ଆଗମନରେ ସବୁଜିମା ହୋଇଛି ରଙ୍ଗୀନ । ଆଉ ଏହି ରଙ୍ଗୀନ ପରିବେଶରେ ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଛି ପଳାସ ଫୁଲର ମନ ମୁଗ୍ଧକର ରୂପ । ସତେ ଯେପରି ଧରଣୀ ରାଣୀ ଏହି ସୁନ୍ଦର ରୂପକୁ ଅପେକ୍ଷା କରିଥିବା ବେଳେ ରଙ୍ଗ ବିରଙ୍ଗର ଫୁଲରେ ସୁସଜ୍ଜିତ ହୋଇ ଋତୁରାଜ ବସନ୍ତକୁ ସ୍ଵାଗତ କରୁଛି ଧରଣୀ ରାଣୀ। ଧରଣୀ ରାଣୀର ଏହି ରୂପକୁ କବି ଓ ଭାବୁକ ନିଜର କବିତା ଓ ଲେଖନୀରେ ପ୍ରତିଫଳିତ କଲାବେଳେ, ଚିତ୍ରକର ଆଙ୍କି ଦେଉଛି ଧରଣୀ ରାଣୀର ସୁନ୍ଦରତାକୁ ।
ବସନ୍ତ ଋତୁରେ ଏହି ପଳାସ ଫୁଲର ମହତ୍ତ୍ବ ପୁରାଣରେ ବର୍ଣ୍ଣିତ ଥିବାବେଳେ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ପ୍ରମାଣିତ ହୋଇସାରିଛି। ପୌରାଣିକ ତତ୍ତ୍ବ ଅନୁସାରେ ଏହି ଫୁଲରେ ପ୍ରସ୍ତୁତ ରଙ୍ଗକୁ ଦେହରେ ଲଗାଇଲେ ଏହି ଋତୁରେ ବ୍ୟାପୁଥିବା ମିଳିମିଳା , ହାଡଫୁଟି, ବସନ୍ତ ପରି ବିଭିନ୍ନ ପ୍ରକାରର ଚର୍ମରୋଗରେ ଉପସମ ମିଳିଥାଏ। ଏହାସହ ବହୁ ପୁରାତନ କାଳରୁ ହୋଲି ପର୍ବରେ ପଳାସ ଫୁଲର ରଙ୍ଗକୁ ବ୍ୟବହାର କରାଯାଉଥିଲା। କେବଳ ସେତିକି ନୁହେଁ ଏହି ଋତୁରେ ଅନୁଷ୍ଠିତ ହେଉଥିବା ହୋଲି ପର୍ବ, ଚୈତ୍ର ମାସରେ ପାଳିତ ହେଉଥିବା ମାଁ ମଙ୍ଗଳାଙ୍କ ପୂଜା ଓ ଶୀତଳ ଯାତ୍ରାରେ କେବଳ ଏହି ପଳାସ ଫୁଲ ଅର୍ପଣ କରାଯିବାର ପରମ୍ପରା ରହିଛି।