ବରଗଡ: କୃଷି ପରେ ଯଦି ରାଜ୍ୟର ନାମ ଅନ୍ୟ କେଉଁ କଳାରେ ପାରଙ୍ଗମ ବୋଲି କୁହାଯାଏ, ସେ ହେଉଛି ବାନ୍ଧକଳା ବା ବୟନଶିଳ୍ପ । କୃଷି ପାଇଁ ରାଜ୍ୟ ଯେତିକି ଗର୍ବିତ, ବୟନଶିଳ୍ପ ପାଇଁ ମଧ୍ୟ ବିଶ୍ବ ଦରବାରରେ ସେତିକି ଜଣାଶୁଣା । ମୁଖ୍ୟତଃ ବରପାଲି, ସୋନପୁର ଓ ବରଗଡ କଥା ବୟନଶିଳ୍ପ ପାଇଁ ଜଣାଶୁଣା ଥିଲେ ବି ନଜର ଆଢୁଆଳରେ ରହିଯାଇଛି ଏକ ଛୋଟିଆ ଗାଁ ‘ଝିଲିମିଣ୍ଡା’ । ବିଗତ 29 ବର୍ଷ ମଧ୍ୟରେ ଏହି ଗାଁରୁ 18 ଜଣ ନିଜ ବାନ୍ଧକଳା ଯୋଗୁଁ ଜାତୀୟସ୍ତରରେ ପୁରସ୍କୃତ ହୋଇସାରିଛନ୍ତି ।
ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଏହି ଗାଁର ଯୁବକଙ୍କଠାରୁ ଆରମ୍ଭ କରି ମହିଳା ଓ ଝିଅମାନେ ବାନ୍ଧକଳାକୁ ବଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ସବୁଠାରୁ ବଡକଥା ହେଉଛି ମେହେର(ଭୁଲିଆ) ବହୁଳ ଏହି ଗାଁରେ 29 ବର୍ଷରେ ମୋଟ 18 ଜଣ ପାଇସାରିଛନ୍ତି ରାଷ୍ଟ୍ରପତି ପୁରସ୍କାର । ଯାହା କେବଳ ଜିଲ୍ଲା ନୁହେଁ ରାଜ୍ୟ ତଥା ଦେଶକୁ ଗର୍ବିତ କରିଛି । ତେବେ ଏହି ବାନ୍ଧଶିଳ୍ପୀମାନଙ୍କ ସଫଳତାର ଯାତ୍ରା କିପରି ଥିଲା ତାହା ପଚାରି ବୁଝିଥିଲା ଇଟିଭି ଟିମ୍ ।
ବାନ୍ଧଶିଳ୍ପୀମାନଙ୍କ ସହ କଥା ହେବା ପରେ ଜଣା ପଡିଥିଲା କି ବିନା କୌଣସି ସରକାରୀ ସହାୟତାରେ ନିଜ କୌଳିକ କଳାକୁ ଜୀବିତ ରଖିବା ପାଇଁ ଏମାନେ ନିରନ୍ତର ଚେଷ୍ଟା କରିଆସିଛନ୍ତି । ଫଳରେ 1978 ମସିହାରେ ପ୍ରଥମ ଥର ପାଇଁ ଜଣେ ଦକ୍ଷ ବାନ୍ଧଶିଳ୍ପୀ ଭାବରେ ଏହି ଗାଁର ବାବାଜୀ ମେହେରଙ୍କୁ ମିଳିଥିଲା ରାଷ୍ଟ୍ରପତି ପୁରସ୍କାର । ଏହାପରଠାରୁ ଝିଲିମିଣ୍ଡାରେ ବାନ୍ଧଶିଳ୍ପୀଙ୍କ ଉତ୍ସାହ ବଢିବା ସହ ଅନେକ ଜାତୀୟସ୍ତରରେ ପୁରସ୍କୃତ ହୋଇ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ।