ବରଗଡ଼: ମନ୍ଦିର ମାଲିକାନାକୁ ନେଇ ଉଗ୍ର ହୋଇଛି ବିବାଦ । ଚାରିଖଣ୍ଡ ଗାଁ ମଧ୍ୟରେ ଘଟିଛି ଗଣ୍ଡଗୋଳ । ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତରେ ଘଟିଛି ଏପରି ଘଟଣା । ତରାକନା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଅଧିକାରକୁ ନେଇ ତରାକନା ଓ ରସାଳୀ , ଉର୍ଦୁନା , ଶିରାପାଳି ଓ ଖରମୁଣ୍ଡା ଗ୍ରାମ ମଧ୍ୟରେ ଲାଗିରହିଛି ବିବାଦ । ଯାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ ।
ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼ ଗୋଟେ ପଟେ ତରାକନା ଗ୍ରାମବାସୀ ଥିବାବେଳେ ଅନ୍ୟପଟେ ଆଖପାଖ ଚାରିଖଣ୍ଡ ଗ୍ରାମବାସୀ ତରାକନା ବିରୋଧରେ ଏକତ୍ରିତ ହୋଇଛନ୍ତି । ଗୋଟିଏ ଗ୍ରାମର ଲୋକ ଅନ୍ଯ ଗ୍ରାମକୁ ଗଲେ ଘଟୁଛି ଗଣ୍ଡଗୋଳ । ଏପରିକି ତରାକନା ଗ୍ରାମବାସୀଙ୍କୁ ଖରମୁଣ୍ଡା ଗ୍ରାମ ଦେଇ ଯିବା ଆସିବା ପାଇଁ ମଧ୍ୟ ମନା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହିସବୁ ଗ୍ରାମର ଲୋକେ ଗଣ୍ଡଗୋଳ ଭୟରେ ରାତ୍ରିରେ ଯିବା ଆସିବା ବନ୍ଦ କରିଦେଇଛନ୍ତି ।
ଏହି ବିବାଦ ଏତିକିରେ ସିମୀତ ହୋଇନାହିଁ, ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ରସାଳୀ ଗ୍ରାମବାସୀଙ୍କ ପୋଲିଂ ବୁଥ ତରାକନା ଗ୍ରାମରେ ରହିଥିବାରୁ ରସାଳୀ ଗ୍ରାମବାସୀ ତାଙ୍କ ନିଜ ଗ୍ରାମରେ ମତଦାନ ପାଇଁ ସ୍ଵତନ୍ତ୍ର ବୁଥ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ଅନ୍ୟ ବୁଥର ବ୍ୟବସ୍ଥା କରାନଯିବାରୁ ରସାଳୀ ଗ୍ରାମବାସୀ ମତଦାନରୁ ବିରତ ରହିଥିଲେ । ନିର୍ବାଚନରେ ଯେଉଁ ଦୁଇଜଣ ପରିବାର ମତଦାନ କରିବାକୁ ଯାଇଥିଲେ ସେହି ଦୁଇ ପରିବାରକୁ ଗ୍ରାମରୁ ନିଆଁପାଣି ବାସନ୍ଦ କରିଛନ୍ତି ରସାଳଗ୍ରାମବାସୀ । ସେମାନେ ଜିଲ୍ଲାପ୍ରଶାସନ ନିକଟରେ ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ଏହାର କୌଣସି ବାଟ ଏପର୍ଯ୍ୟନ୍ତ ମଧ୍ୟ ପ୍ରଶାସନ ଫିଟାଇ ପାରିନାହିଁ ।
ବର୍ତମାନ ତରାକନା ଗ୍ରାମର ଚାଷୀ ମାନଙ୍କ ଉପରେ ଏହି ଗଣ୍ଡଗୋଳର ପ୍ରଭାବ ଦେଖିବାକୁ ମିଳିଛି । ତରାକନା ଗ୍ରାମର ଧାନ ମଣ୍ଡି ଉର୍ଦୁନା ରେ ରହିଥିବା ବେଳେ ଉର୍ଦୁନା ଗ୍ରାମବାସୀ ତରାକନା ଗ୍ରାମର ଚାଷୀଙ୍କ ଧାନ ମଣ୍ଡିରେ ପ୍ରବେଶ କରିବାକୁ ଦେଉନଥିବା ଅଭିଯୋଗ ହୋଇଛି । ତରାକନା ଗ୍ରାମର ଚାଷୀ ତାଙ୍କର ଅମଳ ଧାନ ବିକ୍ରି କରିନପାରି ଖୋଲା ଆକାଶ ତଳେ ରଖିଥିବା ବେଳେ ବର୍ଷାରେ ଭିଜି ନଷ୍ଟ ହେବାର ଭୟ ଘାରିଛି । ତେବେ ଏହି ସମସ୍ଯାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି ତରକନା ଗ୍ରାମବାସୀ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ