ବରଗଡ଼: ଓଡ଼ିଶା ବିକାଶ ଓ ପ୍ରଗତି ପଥରେ ଆଗକୁ ବଢୁଥିବା କୁହାଯାଉଥିବା ବେଳେ ଏହା କେତେ ଯେ ସତ ତାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ବରଗଡ଼ ସହରରେ । ଦୀର୍ଘ ବର୍ଷ ହେଲା ରାସ୍ତାକଡ଼ରେ ପଲିଥିନ ତଳେ ଜୀବନ ବିତାଉଥିବା ଏକ ଗରିବ ଓ ଭୂମିହୀନ ପରିବାର ଆଜି ପ୍ରମାଣିତ କରିଦେଇଛନ୍ତି ଯେ ପ୍ରକୃତରେ ଓଡ଼ିଶା ରେ ଗରିବଙ୍କୁ କିପରି ମିଳୁଛି ରାଜ୍ୟ ସରକାରଙ୍କ ସୁବିଧା । ବରଗଡ଼ ସହର ଉପରେ ମୁଖ୍ୟ ରାସ୍ତା କଡରେ ଏପରି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବା ଦୃଶ୍ୟ ଦେଖିଲେ ମନକୁ ଆନ୍ଦୋଳିତ କରିପକାଉଥିବା ବେଳେ କଣ ସରକାର ଏତେ ନିର୍ଦୟ ହୋଇପାରନ୍ତି । କଣ ସତରେ ଆଜି ମଣିଷର ମଣିଷ ପଣିଆ ହଜିଯାଇଛି । ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ଅସଂଖ୍ୟ ଯୋଜନା ଥାଇ ମଧ୍ୟ କଣ କୌଣସି ଯୋଜନାର ହକଦାର ହୋଇପାରିଲେ ନାହିଁ ଏହି ଗରିବ ପରିବାର ।
ପରିବାର କହିଲେ ଦୁଇ ବୃଦ୍ଧ ଦମ୍ପତି ଏବଂ 16 ବର୍ଷର ଏକ ଝିଅ । ବରଗଡ ସହର ନାଗେନପାଳି ରାଜରାସ୍ତା କଡରେ ଏକ ଅସ୍ଥାୟୀ ପଲିଥିନ ଘର ଟିଏ କରି ରହୁଛନ୍ତି ବୃଦ୍ଧ ଭାଳେଶ୍ୱର ତିୱାରୀ ତାଙ୍କ ସ୍ତ୍ରୀ ଏବଂ ଏକମାତ୍ର ଝିଅ । ଦେହ ଢାଙ୍କିବାକୁ କପଡା କିଛିଟା ଛାଡିଦେଲେ ଘରେ ଖାଇବାକୁ ମଧ୍ୟ କିଛି ଗଚ୍ଛିତ ନାହି । ଏପରି ସ୍ଥିତିରେ କେବେ ଘରେ ଚୁଲି ଜଳେ ତ କେବେ ନାହିଁ । ବୃଦ୍ଧା ଜଣକ ଢାବାରେ କାମ କରୁଥିବାବେଳେ ବୃଦ୍ଧ ଅନ୍ୟ ମାନଙ୍କର କାମ କରି ଯାହାକିଛି ରୋଜଗାର କରୁଥିଲେ ସେଥିରେ ନିଜର ଏକମାତ୍ର ଝିଅ ସହିତ ତିନି କୁଟୁମ୍ବ ପେଟ ପୋଷଣ କରୁଥିଲେ ।