ବରଗଡ଼: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ ଆଉ ଏବେ ପାରା ୪୬ ଡିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ଚାରିଦିନରେ ଗ୍ରୀଷ୍ମ ପ୍ରବାହ ପ୍ରଖର ହେବ । ତେଣୁ ଲୋକଙ୍କୁ ବିନା କାମରେ ଘରୁ ବାହାରିବାକୁ ମନା କରାଯାଇଛି । ସକାଳ ୯ଟା ପରେ ଘରୁ ବାହାରକୁ ଯିବା କଷ୍ଟକର ହୋଇପଡିଛି । ତତଲା ପବନ ସହିତ ଗୁଳୁଗୁଳି ଓ ଅତ୍ୟଧିକ ଗରମ ପଥିକଙ୍କ ପାଇଁ ମୁଣ୍ଡବ୍ୟଥା ହୋଇଛି ।
ପେଟପାଟଣା ପାଇଁ ରାସ୍ତାକଡରେ ବିକ୍ରି କରୁଥିବା ଖୁଚୁରା ବେପାରୀଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପଡ଼ିଛି ପ୍ରଭାବ । ଲୋକେ ଘରୁ ବାହାରୁନଥିବାବେଳେ ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି ବେପାରୀ । ଅନ୍ୟପଟେ ଦିନ ମଜୁରିଆ ରିକ୍ସା ଚାଳକମାନେ ନିଜ ପରିବାରର ପେଟପାଟଣା ପାଇଁ ବାଧ୍ୟ ହୋଇ ଖରାକୁ ଖାତିର ନ କରି ସଵାରୀ ଅନ୍ୱେଷଣରେ ଘରୁ ବାହାରି ପଡୁଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ପାଣିର ଅଭାବ କାରଣରୁ ବହୁ ପଶୁପକ୍ଷୀ ମଧ୍ୟ ଜୀବନ ହରାଉଛନ୍ତି । ପାଣି ଟିକକ ପାଇଁ ଡ଼ହଳବିକଳ ହୋଇପଡୁଛନ୍ତି ଉଭୟ ମଣିଷ ଓ ପଶୁପକ୍ଷୀ ।
ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଜଳଛତ୍ରର ବ୍ୟବସ୍ଥା କରାଯାଇଥିବାବେଳେ ଅଳ୍ପ ଆଶ୍ୱସ୍ତ ହେଉଛନ୍ତି ବାହାରୁ ଆସୁଥିବା ଯାତ୍ରୀ । ରାସ୍ତାକଡରେ ବିକ୍ରିହେଉଥିବା ବରଫ ଦୋକାନରେ ପଥିକଙ୍କ ଭିଡ ଲାଗି ରହିଥିବାବେଳେ ଆଖୁରସ, ତରଭୁଜ ଓ ଦହିବରା ଠେଲା ମାନଙ୍କରେ ମଧ୍ୟ ଲୋକେ ତଣ୍ଟି ଟିକିଏ ଓଦା କରିବା ପାଇଁ ଲାଇନ ଲଗାଇଛନ୍ତି ।