ବରଗଡ: ସାମ୍ବାଦିକ ପରିଚୟ ଦେଇ ଲୋକଙ୍କୁ ଲୁଟୁଥିବା ଏକ ଅନ୍ତଃରାଜ୍ୟ ଠକଦଳକୁ ବରଗଡ଼ ପୋଲିସ ଗିରଫ କରିଛି । ନିଜକୁ ତେହେଲକା ନ୍ୟୁଜର ସାମ୍ବାଦିକ କହି ବ୍ଲାକମେଲିଙ୍ଗ କରି 3 ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ପୋଲିସ ହାତରେ ଧରପଡିଛନ୍ତି 4 ଠକ ସାମ୍ବାଦିକ । ଏକ ସାମ୍ବାଦିକ ସମ୍ବିଳନୀରେ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି ବରଗଡ଼ ଏସଡିପିଓ ଖିରେଶ୍ୱର ନାଏକ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ ସୂଚନା ଅନୁଯାୟୀ ଗତ ୧୨ ତାରିଖରେ ବରଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ଏହି ଠକ ଦଳ ଏକ ଫୁଡ୍ ପ୍ରୋସେସ ପ୍ଲାଣ୍ଟ ସ୍ଥାପନ ପାଇଁ କଥାବାର୍ତ୍ତା ହୋଇଥିଲେ । ଏବଂ ପୂର୍ବ ପ୍ରସ୍ତୁତି ମୁତାବକ ସମସ୍ତ କଥାବାର୍ତ୍ତାର ରେକଡିଂ ମଧ୍ୟ କରିଥିଲେ ଯେଉଁଥିରେ ଏହି ପ୍ଲାଣ୍ଟ ସ୍ଥାପନ ପାଇଁ କିଛି ଅର୍ଥ ନେଣଦେଣ କରାଯିବାର କଥାବାର୍ତ୍ତା ହୋଇଥିଲା । ତେବେ ସେହି ରେକଡ଼ିଂ ବଳରେ ଉକ୍ତ ଠକ ଦଳ ଦୁଇଦିନ ପରେ ଆସି ଶତପଥିଙ୍କୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ । ହେଲେ ସେ ଏତେ ଟଙ୍କା ନଦେବାରୁ ତାଙ୍କୁ ଭୟଭୀତ କରି ଏଟିଏମ୍ରୁ ୨୦ହଜାର ଟଙ୍କା କାଢ଼ି ନେଇଥିଲେ ଏବଂ ୩ ଲକ୍ଷ ଟଙ୍କା ପ୍ରସ୍ତୁତ କରି ରଖିବାକୁ କହି ପୁଣି ଆସିବୁ କହି ଚାଲିଯାଇଥିଲେ ।
ତେବେ ମଙ୍ଗବାର ସେମାନେ ପୁଣି ତାଙ୍କ ଅଫିସକୁ ଆସି ମୁଣ୍ଡରେ ବନ୍ଧୁକ ଦେଖାଇ ଡରାଇଥିଲେ । ବରଗଡ଼ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି 4ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କଠାରୁ CG 04 MJ 0229 ନମ୍ବର ବିଶିଷ୍ଟ ଗୋଟିଏ କାର , କ୍ୟାମେରା, ଲ୍ୟାପଟପ, ଆଇପଟ, ୮ ଟି ମୋବାଇଲ ଫୋନ , ୧୯ ହଜାର ୬୮୦ ଟଙ୍କା , ୪ଟି ଆଇ କାର୍ଡ ଓ ତେହେଲକା ଇଣ୍ଡିଆ ନ୍ୟୁଜ ଓ ବିଏଚବିସି ନ୍ୟୁଜ ନାମକ ଦୁଇଟି ଲୋଗୋକୁ ପୋଲିସ ଜବତ କରିଛି ।
ଚାରି ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ଅନୁଜ ଅଗ୍ରୱାଲ, ବିଶାଳ ଗମ୍ଭୀର , ଇମ୍ରାନ ଖାନ ଓ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ବାଲିପଟଣାର ତପନ କୁମାର ସାହୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବରଗଡ଼ ଜିଲ୍ଲା ଓଡ଼ିଶାର ଭାତହାଣ୍ଡି ହୋଇଥିବା ବେଳେ ଧାନ ବିକ୍ରି ସମୟରେ ବିଭିନ୍ନ ମଣ୍ଡି ତଥା ରାଇସ ମିଲ ଗୁଡିକରେ ସାମ୍ବାଦିକ ବୋଲି ଚାନ୍ଦା ବସୁଲି କରିବା ଏକ ସାଧାରଣ ଘଟଣା ହୋଇଯାଇଛି । ବରଗଡ଼ ଜିଲ୍ଲା ଠକ ସାମ୍ବାଦିକ ମାନଙ୍କ ଚରା ଭୂଇଁ ପାଲଟିଥିବା ବେଳେ ଏଠାକୁ ବାହାର ରାଜ୍ୟର ଠକ ସାମ୍ବାଦିକ ମାନଙ୍କ ପାଦ ପଡ଼ିବା ଏଠାକାର ସାମ୍ବାଦିକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ