ଓଡିଶା

odisha

ETV Bharat / state

ବରଗଡରେ ପ୍ରବଳ ବର୍ଷା, ଦ୍ବିତୀୟ ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ - ଶିକ୍ଷାନୁଷ୍ଠାନ ବନ୍ଦ

ତିନିଦିନ ହେବ ବରଗଡରେ ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାକୁ ଆଖି ଆଗରେ ରଖି ଆଜିବି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ।

ଡିଜାଇନ ଫଟୋ

By

Published : Aug 14, 2019, 11:05 AM IST

ବରଗଡ: ଲଗାତାର ତିନିଦିନ ହେବ ଜିଲ୍ଲାରେ ତୁହାକୁ ତୁହା ବର୍ଷା । ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ଲାଗି ଗତକାଲି(ମଙ୍ଗଳବାର) ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଆଜି(ବୁଧବାର) ବର୍ଷାକୁ ଦୃଷ୍ଟିରେ ରଖି ପୁଣି ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାର ଅନେକ ଗାଁ ପାଣି ଘେରରେ ଥିବାବେଳେ ବହୁ ମାଟି ଓ ଚାଳ ଘର ଭାଙ୍ଗିଯାଇଛି । ଏମାନଙ୍କୁ ରିଲିଫ୍‌ ଯୋଗାଇବା ଲାଗି ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଥିବାରୁ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
ତିନିଦିନ ହେବ ଲଗାତାର ବର୍ଷା କାରଣରୁ ବରଗଡ ସହରର ବହୁ ସ୍ଥାନରେ ଘର ଭିତରକୁ ପାଣି ପଶିଯାଇଛି । ସେପଟେ ବର୍ଷାରେ ବରଗଡ ଟାଉନ ଥାନା ଏବଂ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରଚୁର ପାଣି ଜମିରହିଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ନିଷ୍କାସନ କରାଯାଇଥିଲା । ସେହିପରି ବିଭିନ୍ନ ସରକାରୀ ଅଫିସ ଓ ସରକାରୀ ବସ ଷ୍ଟାଣ୍ଡ ଜଳାର୍ଣ୍ଣବ ହୋଇପଡିଛି ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ପୋଲ ଓ ବ୍ରିଜ ଗୁଡିକ ଉପରେ ବନ୍ୟାପାଣି ପ୍ରବାହିତ ହେବାରୁ ଯାତାୟାତ ଠପ ହୋଇଯାଇଛି । ବରଗଡରୁ ବଲାଙ୍ଗୀର ବସ ଚଳାଚଳ ବନ୍ଦ ରହିଥିବାବେଳେ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି । ବରପାଲି ନିକଟରେ ରେଳ ଧାରଣା ତଳୁ ମାଟି ଧୋଇହୋଇଯାଇଥିବାରୁ ବରଗଡ-ବଲାଙ୍ଗିର ଦେଇ ଟ୍ରେନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି ।

ଆଜି (ବୁଧବାର) ସକାଳ ୭ ଟା ସୁଦ୍ଧା ବରଗଡ ଜିଲ୍ଲାର ସମସ୍ତ ବ୍ଲକରେ ସମୁଦାୟ ୧୩୫୦ ମିଲିମିଟର ବର୍ଷା ହୋଇଥିବାବେଳେ ସୋହେଲା ବ୍ଲକରେ ସର୍ବାଧିକ ୧୯୭ ମିଲିମିଟର ଏବଂ ଭଟଲି ବ୍ଲକରେ ସର୍ବନିମ୍ନ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।


ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details