ଓଡିଶା

odisha

ETV Bharat / state

ରବି ଋତୁ ଧାନ ସଂଗ୍ରହ ପାଇଁ ବରଗଡରେ ଜିଲ୍ଲାସ୍ତରୀୟ ବୈଠକ

ରବି ଋତୁ ଧାନ ସଂଗ୍ରହ ପାଇଁ ବରଗଡରେ ଧାନ ସଂଗ୍ରହ କମିଟିର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ।

By

Published : Apr 14, 2023, 10:04 AM IST

ବରଗଡ ଧାନ ସଂଗ୍ରହ କମିଟିର ଜିଲ୍ଲାସ୍ତରୀୟ ବୈଠକ
ବରଗଡ ଧାନ ସଂଗ୍ରହ କମିଟିର ଜିଲ୍ଲାସ୍ତରୀୟ ବୈଠକ

ବରଗଡ ଧାନ ସଂଗ୍ରହ କମିଟିର ଜିଲ୍ଲାସ୍ତରୀୟ ବୈଠକ

ବରଗଡ: ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ଚଳିତ ରବି ଫସଲ ପାଇଁ ଧାନ ସଂଗ୍ରହ କମିଟିର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କର ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଠାରେ ବସିଛି । ଏଥିରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଲୋକସଭା ସାଂସଦଙ୍କ ପ୍ରତିନିଧି ସୁରେଶ ଶତପଥୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

ଚଳିତ ରବି ଋତୁରେ ଧାନ ସଂଗ୍ରହ ଯେପରି ସୁବିଧାରେ ହେବ ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରାମର୍ଶ ଦେଇଥିଲେ । ବିଗତ ଖରିଫ ଋତୁରେ କୌଣସି ଚାଷୀମାନଙ୍କର ଟୋକନ ଅକାମୀ ହୋଇନଥିବାରୁ ଏଥିପାଇଁ ସାଂସଦଙ୍କ ପ୍ରତିନିଧି ସୁରେଶ ଶତପଥୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ରବି ଋତୁର ଧାନ ସଂଗ୍ରହ ଲାଗି ଅତାବିରା ନିୟନ୍ତ୍ରିତ ବଜାର କମିଟିର ଧାନ ମଣ୍ଡି ଖୋଲିବା ପାଇଁ ମେ' ମାସ ୬ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ବରଗଡ, ଭେଡେନ, ବରପାଲି, ଭଟଲି, ଆମ୍ବାଭୋନା ପାଇଁ ମେ' ୧୨ ତାରିଖ ସ୍ଥିର କରାଯାଇଛି ।

ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ମଣ୍ଡି ପାଇଁ ଚାଷୀମାନଙ୍କ ସହ ଆଲୋଚନା କରି ଗୋଟିଏ ସପ୍ତାହ ମଧ୍ୟରେ ଏହାକୁ ଖୋଲିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ରବି ଫସଲରେ ବ୍ୟାପକ ଧାନ ଫସଲ ଅମଳ ହୋଇଥାଏ । ଅନ୍ୟପଟେ ଏହି ସମୟରେ ଅଦିନିଆ ବର୍ଷା ଓ କାଳବୈଶାଖୀ କାରଣରୁ ଚାଷୀଙ୍କ ଧାନ ନଷ୍ଟ ହୋଇଯାଇଥାଏ । ତେଣୁ ଯେପରି ଚାଷୀଙ୍କ କଷ୍ଟ ଅର୍ଜିତ ଧାନ ମଣ୍ଡିରେ ବର୍ଷା ପାଣିରେ ଭିଜି ନଷ୍ଟ ନହୁଏ ସେନେଇ ସଚେତନ ରହିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି ବରଗଡ, ଅତାବିରା, ପଦ୍ମପୁର ଏବଂ ଧାନ ସଂଗ୍ରହରେ ସମ୍ପୃକ୍ତ ଥିବା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, ବିଭିନ୍ନ ଚାଷୀ ସଙ୍ଗଠନର ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details