ବରଗଡ଼: ଉପନିର୍ବାଚନ ପାଇଁ ପଦ୍ମପୁରରେ ଏବେ ହେବିୱେଟଙ୍କ ଭିଡ଼ ଲାଗିଛି । କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଗସ୍ତ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଙ୍ଗଳବାର ଏଠାରେ ପହଞ୍ଚିବେ । ୪ ଦିନ ଧରି କେନ୍ଦ୍ର ଶିକ୍ଷମନ୍ତ୍ରୀ ବିଭିନ୍ନ ସ୍ଥାନରେ ରୋଡ୍ ସୋ କରିବା ସହ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍ ମାଗିବେ ।
ଏହାପୂର୍ବରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପଦ୍ମପୁର ପ୍ରଚାର କରି ରାଜ୍ୟ ସରକାରଙ୍କୁ ଚାଷୀ ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି । ଲଗାତାର ୪ ଦିନ ଧରି ଜନସାଧାରଣଙ୍କ ସହ ମିଶିବେ । ପ୍ରଥମ ଦିନ ପାଇକମାଳ ବ୍ଲକ୍ର ମାଣ୍ଡୋସିଲଠାରୁ ପ୍ରଚାର ଆରମ୍ଭ କରିବେ । ଦୁଇ ଦିନ ମଧ୍ୟରେ ପାଇକମାଳ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ରୋଡ ସୋ କରିବେ । ଏହାପରେ ସାଧାରଣ ସଭାରେ ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ପଦ୍ମପୁର ବ୍ଲକରେ ରୋଡ ସୋ ଏବଂ ସାଧାରଣ ସଭାରେ ଯୋଗଦେବେ । ଏହାପରେ ତୃତୀୟ ଦିନ ଝରବନ୍ଦରେ ସାଧାରଣ ସଭାରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ ।