ବରଗଡ: ଖାଲି ପଡିଛି ମଙ୍ଗା ସାଲ । ଶୁଭୁନି ଖୁଟୁରଖାଟୁର ଶବ୍ଦ । ଦିନରାତି କାମରେ ଲାଗିଥିବା ହାତ ଆଜି ଥମିଯାଇଛି । ନା କିଏ ବାନ୍ଧ ବାନ୍ଧୁଛି ନା କିଏ ଚରଖରେ ସୂତା ଗୁନ୍ଥୁଛି । ଶୂନଶାନ ହୋଇପଡିଛି 12 ହଜାର 500 ବୁଣାକାରଙ୍କ ଘର ।
ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ କେବଳ ଧାନ ଚାଷ ପାଇଁ ନୁହେଁ ବୟନ ଶିଳ୍ପ ପାଇଁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସା ସାଉଁଟି ପାରିଛି । ଜିଲ୍ଲାର 12 ହଜାର 500 ବୁଣାକାରଙ୍କ ଯୋଗୁଁ ପ୍ରତି ମାସରେ 12 କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥାଏ । ତେବେ କୋରୋନା ମାଡରେ ଘାଇଲା ହୋଇଛି ବୟନ ଶିଳ୍ପ । ତନ୍ତୀକୂଳ ଜୀବନ ଜୀବିକା ଉପରେ ପଡିଛି ଲକଡାଉନର ଅଦିନିଆ ଚଡକ । ହତାଶ ହୋଇପଡିଛନ୍ତି କପଡା ବେପାରୀ ଓ ବୁଣାକାର । ଦୋହଲିଯାଇଛି ବୟନ ଶିଳ୍ପର ଆର୍ଥିକ ମେରୁଦଣ୍ଡ । ଠପ ହୋଇପଡିଛି ସମସ୍ତ ବ୍ୟବସାୟ ଏବଂ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।
ଜିଲ୍ଲାର ୬୦ ପ୍ରତିଶତ ବୁଣାକାର ନିଜେ ନିଜ ପୁଞ୍ଜିରେ କପଡା ବୁଣି ବରଗଡରେ ରହିଥିବା ବାଲିଜୁରୀ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ବାକି ୪୦ ପ୍ରତିଶତ ଗରିବ ବୁଣାକାର ବିଭିନ୍ନ ଦୋକାନ ମାଲିକଙ୍କଠାରୁ ସୂତା ଆଣି ଲୁଗା ତିଆରି କରିଥାନ୍ତି ଏବଂ ମଜୁରି ନେଇ ସମଗ୍ର ପରିବାର ଚଳିଥାନ୍ତି । ପରିବାରର କିଏ ବାନ୍ଧ ବାନ୍ଧିଲେ ଆଉ କିଏ ଚରଖରେ ସୁତା ଗୁନ୍ଥିଥାଏ । ଏମିତି ପିଲାଛୁଆ ଓ ସ୍ତ୍ରୀ, ପୁରୁଷ ପରିବାରର ସମସ୍ତ ସଦସ୍ୟ ମିଶି ସମ୍ବଲପୁରୀ ଶାଢୀ ସାଙ୍ଗକୁ ଗାମୁଛା ତିଆରି କରିଥାନ୍ତି । ଆଠ ଦିନ ପରିବାର ସଭିଏଁ ଖଟିଲା ପରେ ଯାଇ ଯାହା ରୋଜଗାର ହୁଏ ତାକୁ ନେଇ ପରିବାର ପ୍ରତିପୋଷଣ କରନ୍ତି ।