ବରଗଡ:ସମ୍ବଲପୁରୀ ପାଟ କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି । କିନ୍ତୁ ଏହି ଆକର୍ଷଣୀୟ ପାଟ ପ୍ରସ୍ତୁତି ପାଇଁ ଦିନଦିନ ଧରି କାମ କରୁଥିବା କାରୀଗର ଏବେ କିନ୍ତୁ ଦୁଃଖରେ । କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ସରକାଙ୍କ ଅନେକ ଯୋଜନା । କିନ୍ତୁ ଆଜି ମଧ୍ୟ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ବରଗଡ ଜିଲ୍ଲାର ବୁଣାକାର । କୋରୋନା ମହାମାରୀ ସାରା ବିଶ୍ବକୁ ଦେହଲାଇ ଦେଇଥିବା ବେଳେ
ଆର୍ଥିକ ବୋଝରେ ଆଜି ମଧ୍ୟ କାଳାତିପାତ ହେଉଛନ୍ତି ବରଗଡ ଜିଲ୍ଲାର ବୁଣାକାର । ଛଟେଇ ହୋଇଥିବା ଶ୍ରମିକ ବର୍ତ୍ତମାନ ସୁଦ୍ଧା ମୁଣ୍ଡ ଟେକିପାରିନଥିବା ବେଳେ ଧୂଳି ଧୁସରିତ ହୋଇ ଖତ ଖାଉଛି କଳକାରଖାନା । ବସ୍ତ୍ର ବିକ୍ରି ହୋଇପାରୁନଥିବା ବେଳେ ଦୁଇ ପଇସା ରୋଜଗାର ମଧ୍ୟ ହୋଇପାରୁନି । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର ବୁଣାକାର ।
ଦୁଇବର୍ଷ ଧରି ମହାମାରୀ କୋରୋନା ସାରା ଦେଶରେ ହାହାକାର ମଚେଇ ମଣିଷକୁ ତଳିତଳାନ୍ତ କରିଦେଇଥିଲା । ବଡ ବଡ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରି ମଧ୍ୟ ଆଜି ଯାଏଁ ମୁଣ୍ଡ ଟେକିପାରିନଥିବା ବେଳେ ଅନେକ କଳକାରଖାନା ସଂପୂର୍ଣ୍ଣ ବନ୍ଦ ହୋଇପଡିଛି । ଏପରି ପରିସ୍ଥିତିରେ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ମଧ୍ୟ କୃଷି ଓ ବୁଣାକାର ପରିବାର ବେଶ ପ୍ରଭାବିତ ହୋଇଛନ୍ତି । ନିଜ କୌଳିକ ବୃତ୍ତିକୁ ବଞ୍ଚେଇ ରଖିଥିବା ବୁଣାକାର ପରିବାର ଓ ଚାଷୀ ମାନଙ୍କର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୋହଲି ପଡିଥିବା ବେଳେ ଏବେ ପୁଣି ସଂଗ୍ରାମ ଜାରିରଖିଥିବା ନେଇ ବୁଣାକାରମାନେ କହିଛନ୍ତି ।
ବରଗଡ ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକେ ପରିବାର ପୋଷଣ ପାଇଁ ଚାଷକାମ ଉପରେ ନିର୍ଭର କରୁଥିବା ବେଳେ ହଜାର ହଜାର ଲୋକ ସମ୍ବଲପୁରୀ ବସ୍ତ୍ର ବୁଣି ମଧ୍ୟ ପରିବାର ପ୍ରତିପୋଷଣ କରିଥାନ୍ତି । ବରଗଡ ଜିଲ୍ଲାରେ ବହୁ ବୁଣାକାର ପରିବାର ଲୁଗାବୁଣି ଆତ୍ମନିର୍ଭରଶୀଳ ହୋଇ ଗୁଜୁରାଣ ମେଣ୍ଟାଉଥିବା ବେଳେ କିନ୍ତୁ ମହାମାରୀ ଦିନଠାରୁ ଲୋକଙ୍କ ଉପରେ ପଡିଥିବା ଆର୍ଥିକ ବୋଝର ପ୍ରଭାବ ବରଗଡ ଜିଲ୍ଲାର ବୁଣାକାର ପାରିବାର ଉପରେ ବହୁଳ ଭାବରେ ପଡିଛି ।