ବରଗଡ:ବରଗଡ ଟାଉନ ଥାନାରେ ହୋଇଥିବା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ଓ ମମିତା ମେହେରଙ୍କର ହତ୍ୟାକାଣ୍ଡର ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ବିଜେପି ଦଳ ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଥିଲା । ଶତାଧିକ ବିଜେପି କର୍ମୀ ଏସପି ଅଫିସ ଆଗରେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପୋଲିସ ଓ କର୍ମୀଙ୍କ ମଧ୍ୟର ଧସ୍ତାଧସ୍ତି ହୋଇଥିଲା । ଗିରଫ ହୋଇଥିଲେ ବିଜେପି କର୍ମୀ ।
ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ଉଭୟ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡା ଓ ରାଜ୍ୟ ସଭାପତି ଇରାଶିଷ ଆଚର୍ଯ୍ୟଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ ବିଶାଳ ରାଳି ସ୍ଥାନୀୟ ନିଶାମଣି ପଡିଆରୁ ବାହାରି ଏସପି ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଏସପି ଅଫିସ ସମ୍ମୁଖରେ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।