ବରଗଡ: ଓଡିଶାର ଭାତହାଣ୍ଡିରେ ଦୁର୍ନୀତିର ଗନ୍ଧ । ଚାଷୀଙ୍କ ଭାଗ୍ୟ ସହ ସାଙ୍ଘାତିକ ଖେଳ । ନକଲି ଚାଷୀଙ୍କ ନାଁରେ ବିକ୍ରି ହୋଇଛି ହଜାର ହଜାର ବସ୍ତା ଧାନ । ବରଗଡ ତୋରା ସୋସାଇଟି ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଆଉ ଧାନ ବିକ୍ରିରେ ହୋଇଥିବା ମହାଦୁର୍ନୀତିର ଦସ୍ତାବିଜ୍ ଲାଗିଛି ଇଟିଭି ଭାରତ ହାତରେ । ସରକାରୀ ଜମିକୁ ନକଲି ଚାଷୀ ନାମରେ ପଞ୍ଜିକୃତ କରି ବିକ୍ରି ହୋଇଛି ହଜାର ହଜାର ବସ୍ତାଧାନ । ଖାଲି ସରକାରୀ ଜମି ନୁହେଁ ନଦୀ, ନାଳ, ରାସ୍ତାଘାଟ ବି ବର୍ତ୍ତି ପାରିନି ଦୁର୍ନୀତିରୁ । ଅସଲି ଚାଷୀଙ୍କ ଧାନ ବିକ୍ରି ହେଉନଥିବା ବେଳେ ନଦୀନାଳକୁ ଜମି ଦର୍ଶାଇ ନକଲି ଚାଷୀଙ୍କ ଧାନ ବିକ୍ରି ହୋଇଛି ।
ଚଳିତ ବର୍ଷ ଖରିଫ୍ ଧାନ ବିକ୍ରି ପାଇଁ ତୋରା ସୋସାଇଟିରେ 232ଏକର ସରକାରୀ ଜମି ପଞ୍ଜିକୃତ ହୋଇଛି । ବେଆଇନ ଭାବେ 12 ହଜାରରୁ ଊର୍ଦ୍ଧ୍ବ ଧାନ ବସ୍ତା ବିଭିନ୍ନ ମିଲ୍କୁ ଯାଇଛି । ପ୍ରକୃତ ଚାଷୀଙ୍କ ଘରେ ଧାନ ଗଚ୍ଛିତ ହୋଇରହିଥିବା ବେଳେ ମିଲ୍କୁ ଏତେ ପରିମାଣରେ ଧାନ କେଉଁଠି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଦୁର୍ନୀତି ସମ୍ପର୍କରେ କିଛି ଜଣାନାହିଁ ବୋଲି କହିଛନ୍ତି ତୋରା ସୋସାଇଟିର ସମ୍ପାଦକ ।