ବରଗଡ: ଜୟ ଯବାନ, ଜୟ କିଶାନ । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଏହି ସ୍ଲୋଗାନ ସତରେ ଆଜି ବି ସ୍ଲୋଗାନରେ ହିଁ ରହିଯାଇଛି । ଦେଶ 2021 ମସିହାରେ 75 ତମ ସ୍ବାଧୀନତା ଦିବସ ପାଳିବାକୁ ଯାଉଥିବାବେଳେ ଏବେବି ଚାଷୀ ଆତ୍ମହତ୍ୟା କରୁଛନ୍ତି । ବେସରକାରୀ ଆକଳନ ହିସାବରେ ୨୦ ବର୍ଷ ମଧ୍ୟରେ ଦେଶରେ ୩ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ସରକାର ଏହାକୁ ଗ୍ରହଣ କରୁନାହାଁନ୍ତି ଯାହା ଚାଷୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି କୁହାଯାଉଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ ତେବେ ଚାଷରେ ଏବେ ଲାଭ ହେଉନଥିବାରୁ ଧୀରେ ଧୀରେ ଚାଷ କାମରୁ ଓହରିବାକୁ ଲାଗିଛନ୍ତି ଯୁବପିଢି | ଯାହା ଓଡିଶାର ଭାତହାଣ୍ଡି ଭାବେ ଜଣାଶୁଣା ବରଗଡକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି । ଆଜି ବି ଏଠାରେ ପ୍ରତିବର୍ଷ ମରୂଡିକୁ ସାମ୍ନା କରୁଛନ୍ତି ଚାଷୀ । ଏହା ସହ ଅମଳ ହେଉଥିବା ଫସଲର ଉଚିତ ମୂଲ୍ୟ ମିଳୁନଥିବାରୁ ଚାଷରୁ ମୁଁହ ମୋଡୁଛନ୍ତି ଚାଷୀ ।
ସମଗ୍ର ରାଜ୍ୟରେ ଚାଷପାଇଁ ବେଶ ସୁନାମ ଅର୍ଜନ କରିଛି ବରଗଡ ଜିଲ୍ଲା । ସେ ଧାନ ଚାଷ ହେଉ ବା ପନିପରିବା ହେଉ ସବୁଥିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ବରଗଡ ଜିଲ୍ଲାର ଚାଷୀ । ୧୯୫୩ ମସିହାରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ହେବାପରେ ୧୯୫୫ ମସିହାରେ ୧୩ଲକ୍ଷ ୪୭ ହଜାର ଏକର ଜମିରେ ଚାଷକାମ କେନାଲ ପାଣି ସାହାଯ୍ୟରେ ସମ୍ଭବ ହୋଇପାରିଥିଲା । ଧୀରେ ଧୀରେ ବରଗଡ ଜିଲ୍ଲାରେ ବହୁମାତ୍ରାରେ ଧାନ ଚାଷଉପରେ ଲୋକେ ନିର୍ଭର କରି ପ୍ରଚୁର ଧାନ ଅମଳ କରିବାକୁ ଲାଗିଲେ ଏବଂ ଖୁବ କମ ସମୟରେ ଓଡିଶାର ଭାତହାଣ୍ଡି ନାମରେ ପରିଚିତ ହୋଇପାରିଥିଲା ବରଗଡ ଜିଲ୍ଲା ।
ତେବେ ସାରା ରାଜ୍ୟର ଖାଦ୍ୟଭାବକୁ ପୂରଣ କରୁଥିବା ବରଗଡ ଜିଲ୍ଲାର ଚାଷୀର ଅବସ୍ଥା ବର୍ତ୍ତମାନ କିନ୍ତୁ ଅସମ୍ଭାଳ ହୋଇପଡିଛି । ମରୂଡି, ଚକଡା ପୋକ, ଖରାପ ବିହନ, ନକଲି କୀଟନାଶକ ଆଦି ଅନେକ ସମସ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି । ଫଳରେ କରଜ କରି ଚାଷ କରୁଥିବା ଚାଷୀ ଋଣ ସୁଝିନପାରି ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି । ବେସରକାରୀ ରିପୋର୍ଟ ଅନୁସାରେ, ବିଗତ 10 ବର୍ଷ ମଧ୍ୟରେ ଜିଲ୍ଲାର 124 ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ୨୦୧୫ ମସିହାରେ ୩୩ ଜଣ , ୨୦୧୬ ମସିହାରେ ୯ ଜଣ , ୨୦୧୭ ମସିହାରେ ୨୪ ଜଣ ଓ ୨୦୧୮ ରୁ ଆଜି ସୁଦ୍ଧା ୯, ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ହେଲେ ଏହାକୁ ମାନୁନାହାଁନ୍ତି ସରକାର । ତେବେ ଦେଶ 75 ତମ ସ୍ବାଧୀନତା ପାଳିବାକୁ ଯାଉଥିବାବେଳେ ଚାଷୀଙ୍କ ଭାଗ୍ୟ କେବେ ଖୋଲିବ ତାକୁ ଅପେକ୍ଷା ।
ବରଗଡରୁ ରାଜେଶ୍ ସରାପ୍, ଇଟିଭି ଭାରତ